ନୂଆଦିଲ୍ଲୀ (ଆମ ଟିଭି): ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଲା । ପଞ୍ଜାବ ରାଜନୀତିରେ ଘଟିଲା ବଡ଼ ଧରଣର ଅଦଳବଦଳ । ବିଜେପିରେ ଯୋଗ ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ଏହା ସହିତ ସେ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ମଧ୍ୟ ବିଜେପି ସହିତ ମିଶ୍ରଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କିରନ ରିଜିଜୁ, ବିଜେପି ନେତା ସୁନୀଲ ଜାଖର ଏବଂ ବିଜେପିର ପଞ୍ଜାବ ମୁଖ୍ୟ ଅଶ୍ୱିନୀ ଶର୍ମାଙ୍କ ଉପସ୍ଥିତିରେ କ୍ୟାପଟେନ ଅମରିନ୍ଦର ସିଂ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀମାନେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପଞ୍ଜାବ ବିଧାନସଭାର ପୂର୍ବତନ ଉପ ବାଚସ୍ପତି ଅଜୟବ ସିଂ ଭଟ୍ଟୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ସାମିଲ ହେବା ପରେ ଅମରିନ୍ଦର କହିଛନ୍ତି ଯେ, ସେ ତାଙ୍କ ସମର୍ଥକଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ପଞ୍ଜାବର ଭବିଷ୍ୟତ ପାଇଁ ସେ ବିଜେପି ସହିତ ସାମିଲ ହେବାକୁ ନିଷ୍ପତି ନେଇଛନ୍ତି। ବିଜେପି ଏବଂ ତାଙ୍କ ଦଳର ବିଚାରଧାର ସମାନ ଅଟେ। ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ପୁର୍ବରୁ କ୍ୟାପଟେନ୍ କଂଗ୍ରେସ ଛାଡ଼ିଥିଲେ।