ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି ରହିଛି । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଚାଲିଛି । ଏଥିଲାଗି ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ ୧୪୭୮ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ୩.୬ କୋଟି ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।
ତେବେ ଭୋଟିଂ ସମୟରେ ଟିଏମସି ସମର୍ଥକ ପୋଲିସ ଏବଂ ହୁମାୟୁନ କବିରଙ୍କ ସହ ହାତାହାତି ହୋଇଛନ୍ତି । ଆମ୍ ଜନତା ଉନ୍ନୟନ ପାର୍ଟି ପ୍ରତିଷ୍ଠାତା ହୁମାୟୁନ କବୀରଙ୍କ ପ୍ରତି ଦୁର୍ବ୍ୟବହାର ହୋଇଛି । ଭୋଟିଂ ମଝିରେ ବୋମାମାଡ଼ ହୋଇଛି ଅନେକ ଆହତ ହୋଇଛନ୍ତି । ମୁର୍ଶିଦାବାଦ ବିବାଦକୁ ନେଇ ନିର୍ବାଚନ କମିଶନ ଡିଏମ/ଡିଇଓଙ୍କଠାରୁ ରିପୋର୍ଟ ମାଗିଛନ୍ତି ।
ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଉପସ୍ଥିତ ରହି ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରହିଛି । ବହୁ ସଂଖ୍ୟକ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ପରିସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ।
ପଶ୍ଚିମବଙ୍ଗରେ ସକାଳ ୯ଟା ସୁଦ୍ଧା ୧୮.୭୬ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ଲାଗି ନିର୍ବାଚନ କମିଶନ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।