ତାତିରୁ ମିଳିବ ଆଶ୍ୱସ୍ତି, ୮ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି କାଳବୈଶାଖୀ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ୮ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଓଡ଼ିଶା ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଅଛି ।
ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାତିରୁ ଆସନ୍ତା ୨୮ ଏପ୍ରିଲ ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ। ୩୦ ତାରିଖରେ କାଳବୈଶାଖୀ ପାଇଁ ପୁରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଭ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ବୋହିବାର ଆଶଙ୍କା ରହିଛି।
ଏହା ସହିତ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି। ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ରୁ ୪୪ ଡିଗ୍ରୀ ମଧ୍ୟରେ ରହୁଛି । ଏବେ କାଳବୈଶାଖି ବର୍ଷା ଯୋଗୁଁ ଏଥିରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିପାରେ । ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ପାଣିପାଗ କୋହଲା ରହିବ।…