ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଆଜି ତୁମ୍ବରେ ହୋଇଛି ବିନ୍ଧ ଅନୁକୂଳ
ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀନଅର ସମ୍ମୁଖ ରଥଖଳା । ତିନି ରଥର ବିଶ୍ଵକର୍ମା ମାନେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି । ତୁମ୍ବ ନିର୍ମାଣରେ ଲାଗିଛନ୍ତି ବିଶ୍ଵକର୍ମା ମହାରଣା । ତିନି ରଥ ପାଇଁ ୪୨ଟି ତୁମ୍ବ ଗୋଲେଇ ସଂପୂର୍ଣ୍ଣ ଶେଷ ହୋଇଛି । ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି । ବିଶ୍ଵକର୍ମା ମହାରଣା ମାନେ ନଡ଼ିଆ,ମହାର୍ଦ୍ଧ ରଖି ଏହି ବିନ୍ଧ ଅନୁକୂଳ କରିଥିଲେ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ବିନ୍ଧ ଅନୁକୂଳ କରିବା ପରେ ଆଜି ଠାରୁ ବିନ୍ଧ ଖୋଦେଇ ଆରମ୍ଭ ହୋଇଛି ।
ପ୍ରତ୍ୟେକ ତୁମ୍ୱରେ ମହାରଣା ସେବକମାନେ ଗତକାଲି ସୂତା ବାଡିଆ ଅର୍ଥାତ୍ ତୁମ୍ବରେ ବିନ୍ଧ ଖୋଦେଇ ମାପ ଅନୁସାରେ ଦାଗ ଦେବା କାର୍ଯ୍ୟ ଶେଷ କରିଥିଲେ । ଆଗାମୀ ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନି ରଥର ଅଖ ଚକ ଡେରା ବିଧି ହେବ । ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ ହେବା ସହ ଭୋଈ ସେବକମାନେ ଯନ୍ତାଗାଡ଼କୁ ପ୍ରସ୍ତୁତ କରିବେ । ଯନ୍ତା ଗାଡରେ ତୁମ୍ୱ ବିନ୍ଧ ସହ ଅର ସଂଯୋଗ କାର୍ଯ୍ଯ କରାଯିବ ।