କୃଷି ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ତାଗିଦା ; କାମ ନ କଲେ ବିଦା ହେବାକୁ ପ୍ରସ୍ତୁତ ରୁହ

0

ଭୁବନେଶ୍ବର : ଗତ ଦୁଇ ବର୍ଷରେ କୃଷି ବଜେଟ ଦୁଇ ଗୁଣା ବୃଦ୍ଧି କରାଯାଇଛି। କିନ୍ତୁ ଏହା ଆପଣମାନଙ୍କ ମନୋରଞ୍ଜନ ପାଇଁ ନୁହେଁ। ବାସ୍ତବତା ହେଉଛି ଅଧିକାରୀମାନେ କ୍ଷେତ୍ର ଉପରକୁ ଯାଉ ନାହାନ୍ତି। କାହାର ଉତ୍ତରଦାୟିତ୍ବ ନାହିଁ। ଏହାକୁ ବରଦାସ୍ତ କରାଯିବ ନାହିଁ। କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ବିଭାଗ ସମ୍ମିଳନୀରେ ଉପସ୍ଥିତ ଅଧିକାରୀମାନଙ୍କୁ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଚାଷୀଙ୍କ ବିଦେଶ ଓ ଅନ୍ୟ ରାଜ୍ୟ ଗସ୍ତ ସମ୍ପର୍କିତ ରିପୋର୍ଟ ୭ ଦିନ ଭିତରେ ଦେବା ପାଇଁ କହିବା ସହିତ କାମ ନ କଲେ ବିଦା ହେବା ପାଇଁ ପ୍ରସ୍ତୁତ ରୁହ ବୋଲି ଉଦ୍ୟାନକୃଷି ଅଧିକାରୀମାନଙ୍କୁ ସେ ଚେତାଇ ଦେଇଛନ୍ତି।

ଶ୍ରୀ ସିଂହଦେଓ କହିଥିଲେ, ଗତ ଦୁଇ ବର୍ଷ ଭିତରେ କୃଷି ବଜେଟ ଦୁଇ ଗୁଣା ବୃଦ୍ଧି କରାଯାଇଛି। କିନ୍ତୁ ସେହି ଅନୁସାରେ କାମ ହେଉ ନାହିଁ। ମୁଁ ଜିଲା ଗସ୍ତ କରିବା ସମୟରେ ଜଣେ ବି ଅଧିକାରୀ ନିଜ କାମ ସମ୍ପର୍କରେ କିଛି ବି ସୂଚନା ଦେଇପାରୁ ନାହାନ୍ତି। ନିଜ କାମ ପାଇଁ ଉତ୍ତରଦାୟୀତ୍ବ ନାହିଁ। ବିଭାଗର ନିର୍ଦେଶକ ସରକାର ନୁହଁନ୍ତି। ମନ୍ତ୍ରୀ ହେଉଛନ୍ତି ସରକାର। କେହି ବି ନିର୍ଦେଶର ଅବମାନନା କରୁଥିବା ଜଣାପଡିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ସରକାରଙ୍କୁ ଅନ୍ଧାରରେ ରଖିବା ଭୁଲ୍ କରନ୍ତୁ ନାହିଁ। ଆମେ ଧମକକୁ ଡରୁନାହୁଁ। ରାଜ୍ୟ ଓ କେନ୍ଦ୍ର ସରକାର ଯାହା ସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହାର ସଠିକ୍ କାର୍ଯ୍ୟାନ୍ବୟନ କରିବାରେ ଅବହେଳା କରନ୍ତୁ ନାହିଁ। କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି, କ’ଣ କାମ ହୋଇଛି ତାହାର ରିପୋର୍ଟ ସରକାରଙ୍କ ପାଖକୁ ଆସିବା ଦରକାର। ଅଧିକାରୀମାନଙ୍କ ସମସ୍ୟା ଦୂର

କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, କିନ୍ତୁ ଅଧିକାରୀମାନେ ମଧ୍ୟ କାମ କରିବା ଆବଶ୍ୟକ। ନଚେତ୍ ବ୍ୟାଗ୍‌ ଧରି ଘରକୁ ଚାଲିଯାନ୍ତୁ। ସରକାରଙ୍କୁ ରବର୍‌ ଷ୍ଟାମ୍ପ୍ ବୋଲି ଭାବିବା ଭୁଲ୍ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ପ୍ରତି ମାସରେ ନିର୍ଦେଶକ ସମେତ ଅଧିକାରୀଙ୍କ ଗସ୍ତ ରିପୋର୍ଟ କାର୍ଯ୍ୟାଳୟରେ ଦାଖଲ ପାଇଁ ସେ କଡ଼ା ନିର୍ଦେଶ ଦେଇଛନ୍ତି। ଏହି ସମ୍ମିଳନୀରେ ଖାଇବା ତେଲର ଅଭାବ ପୂରଣ ପାଇଁ ପାମ୍ ଅଏଲ ଗଛ ଲଗାଇବା, ବିଦେଶୀ ବଜାର ପାଇଁ ଫସଲର ମାନ ବଢ଼ାଇବା ଏବଂ ଜମିରୁ ଅଧିକ ଲାଭ ପାଇବା ପାଇଁ ଅଧିକ ମୂଲ୍ୟର ଫସଲ ଓ ବ୍ୟବସାୟିକ ଫୁଲ ଚାଷ, ଆଧୁନିକ ଚାଷ ପଦ୍ଧତି, ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା, ଚାଷୀ ସିଧାସଳଖ ଗ୍ରାହକଙ୍କୁ ପଣ୍ୟ ବିକ୍ରି କରିବା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ‘ଖେତୀ ଆଗ୍ରୋ ପ୍ରାଇଭେଟ ଲିମିଟେଡ଼’ ଏବଂ ଉଦ୍ୟାନ କୃଷି ନିର୍ଦେଶାଳୟ ମଧ୍ୟରେ ଜଳବାୟୁ ସହନଶୀଳ କୃଷି ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

Leave A Reply

Your email address will not be published.