ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ

0

ଭୁବନେଶ୍ବର : ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗୁରୁବାର ଅବପାତର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଆଡ଼କୁ ମୁହଁାଇବ। ଏହା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି, ବାଲେଶ୍ବର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲାଗୁଡ଼ିକର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅପରପକ୍ଷେ, ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ବାଲେଶ୍ବର ଜିଲାର ଭୋଗରାଇରେ ସବୁଠୁ ଅଧିକ ୨୩୬ମି.ମି. ବର୍ଷା ହୋଇଥିବା ବେଳେ ରାଜଘାଟରେ ୨୦୪.୮, ଏନ୍‌ଏଚ୍‌-୫ ଗୋବିନ୍ଦପୁରରେ ୧୮୫.୬ମିମି, ବାଲେଶ୍ବରରେ ୧୬୯.୪ମିମି ଏବଂ ଜଳେଶ୍ବରରେ ୧୬୨ ମିମି ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ଶାମାଖୁଣ୍ଟାରେ ୨୩୦ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୨୧୫.୨ମିମି, ବାଙ୍ଗିରପୋଷିରେ ୧୭୦.୮ମିମି, ବେତନଟୀରେ ୧୬୭ମିମି, ମୋରଡ଼ାରେ ୧୩୨ମିମି, ଚନ୍ଦନପୁରରେ ୧୩୦.୨ମିମି, ଚାନ୍ଦୁଆରେ ୧୩୦ମିମି ଏବଂ ରାସଗୋବିନ୍ଦପୁରରେ ୧୨୮ମିମି ବର୍ଷା ହୋଇଛି। ଉପରୋକ୍ତ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ୨୦ ତାରିଖ ବେଳକୁ ପୁଣି ଉତ୍ତର ଓଡ଼ିଶା ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋବର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ପଶ୍ଚିମବଙ୍ଗ ଉପକୂଳ ଉପରେ ରହିଛି। ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା-ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହା ଓଡ଼ିଶା ଉପରେ ସିଧାସଳଖ ଅବପାତ ଭାବେ ଅତିକ୍ରମ କରିବାର ସମ୍ଭାବନା କମ୍। ଏହି ପ୍ରଣାଳୀ ଓଡ଼ିଶା ଉପରେ ମୌସୁମି ବାୟୁ ପ୍ରବାହକୁ ସକ୍ରିୟ କରୁଛି। ଫଳରେ ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର, ମଧ୍ୟ ଓ ପଶ୍ଚିମ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଭିନ୍ନ ମଡେଲ ପୂର୍ବାନୁମାନ ଅନୁଯାୟୀ, ୧୮ରୁ ୧୯ତାରିଖ ବେଳକୁ ପୂର୍ବ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି। ୧୯ରୁ ୨୦ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସଙ୍ଗଠିତ ହୋଇପାରେ। ଏହାର ପ୍ରଭାବରେ ଓଡ଼ିଶାର କେନ୍ଦ୍ରୀୟ ଓ ଉପକୂଳ ଅଞ୍ଚଳରେ ଭଲ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.