ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ‘କାନ୍ଦା ଏକ୍ସପ୍ରେସ’ ଜରିଆରେ ବଫର ଷ୍ଟକ୍ର ପିଆଜ ଅଧିକ ଦର ଥିବା ସହରଗୁଡ଼ିକୁ ପଠାଇବା ଆରମ୍ଭ କରିଛନ୍ତି। ଏହି ପିଆଜ ଗ୍ରାହକଙ୍କୁ କିଲୋ ପ୍ରତି ୩୫ ଟଙ୍କା ରିହାତି ଦରରେ ଉପଲବ୍ଧ କରାଯିବ।
ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଏନ୍ସିଆର, ଚେନ୍ନାଇ, ମାଦୁରାଇ, ଏର୍ନାକୁଲମ୍/କୋଚି ଓ ଗୌହାଟିକୁ ପିଆଜ ପଠାଯାଉଛି। ଏହି ରେଳ ରାକ୍ଗୁଡ଼ିକ ଅଗଷ୍ଟ ୨୬ ସୁଦ୍ଧା ନିର୍ଦ୍ଦିଷ୍ଟ ବଜାରରେ ପହଞ୍ଚିବା ଆଶା କରାଯାଉଛି। ବଜାର ଚାହିଦା ଅନୁଯାୟୀ ପରେ କୋଲକାତା ଓ ଲକ୍ଷ୍ନୌ ଭଳି ସହରକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇପାରେ।
ବଫର ଷ୍ଟକ୍ରୁ ଯୋଗାଣ ହେଉଥିବା ପିଆଜକୁ ମୁଖ୍ୟତଃ ସମବାୟ ସଂସ୍ଥାଗୁଡ଼ିକର ମୋବାଇଲ୍ ଭ୍ୟାନ୍ ଓ ଆଉଟଲେଟ୍ ମାଧ୍ୟମରେ ବିକ୍ରି କରାଯିବ। ଏହାଦ୍ୱାରା ଖୁଚୁରା ବଜାରରେ ଦର ଉପରେ ଚାପ କମିବ ବୋଲି ସରକାର ଆଶା ରଖିଛନ୍ତି।
ଅଗଷ୍ଟ ୨୪ ସୁଦ୍ଧା ଦେଶରେ ପିଆଜର ହାରାହାରି ଖୁଚୁରା ଦର କିଲୋ ପ୍ରତି ୪୩.୫୩ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହା ୨୭.୩୭ ଟଙ୍କା ଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ ଦର ପ୍ରାୟ ୫୯% ବଢ଼ିଛି। ହାରାହାରି ପାଇକାରୀ ଦର ମଧ୍ୟ ୬୮% ବୃଦ୍ଧି ପାଇ କିଲୋ ପ୍ରତି ୩୫.୫୮ ଟଙ୍କାରେ ପହଞ୍ଚିଛି।
ଦିଲ୍ଲୀ ଓ ଚେନ୍ନାଇ ଭଳି ସହରରେ ପିଆଜ କିଲୋ ପ୍ରତି ୫୫ରୁ ୬୫ ଟଙ୍କା ଯାଏ ବିକ୍ରି ହେଉଥିବା ବେଳେ କୋଲକାତାରେ ଦର ପ୍ରାୟ ୫୩ ଟଙ୍କା ରହିଛି।
ଅଗଷ୍ଟ-ସେପ୍ଟେମ୍ବରରେ ପାର୍ବଣ ଚାହିଦା ଓ ପାଣିପାଗଜନିତ ସମସ୍ୟା ଯୋଗୁଁ ଦର ଆହୁରି ବଢ଼ିବା ଆଶଙ୍କା ରହିଛି। ଏହାକୁ ରୋକିବା ପାଇଁ ସରକାର ୧.୨୧ ଲକ୍ଷ ଟନ୍ ପିଆଜର ବଫର ଷ୍ଟକ୍ ରଖିଛନ୍ତି। ଆବଶ୍ୟକତା ଅନୁଯାୟୀ ଏହି ଷ୍ଟକ୍କୁ ପର୍ଯ୍ୟାୟକ୍ରମେ ବଜାରକୁ ଛଡ଼ାଯାଉଛି।