ଗୁଜୁରାଟ : ବୁଧବାର ରାତିରେ ଗୁଜୁରାଟର ଗାନ୍ଧୀନଗରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦିଲ୍ଲୀ ପରେ ଏବେ ଗୁଜୁରାଟରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । କୁଡାସନ ଅଞ୍ଚଳର ଏକ ନିର୍ମାଣାଧୀନ ବାଣିଜ୍ୟିକ କମ୍ପ୍ଲେକ୍ସର ସ୍ଲାବ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ସମୟରେ ଅତି କମରେ ପ୍ରାୟ ୧୫ ଜଣ ଶ୍ରମିକ କାମ କରୁଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଜଣାପଡିଛି । ଖବର ପାଇବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ସୂଚନାନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ସମୟ ମୟରେ ଏହି ଦୁର୍ଘଟଣା ଘଟିଥିଲା । କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ହଠାତ୍ ଏକ ବଡ଼ ଲୁହା ସ୍ଲାବ୍ ଖସିପଡ଼ିଥିଲା । ତେଣୁ ସେହି ସ୍ଲାବ ତଳେ ଶ୍ରମିକ ଫସି ରହିଯାଇଥିଲେ । ଫଳରେ ତୁରନ୍ତ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାରି ମଧ୍ୟରେ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଘଟଣାସ୍ଥଳ ସମୀକ୍ଷା କରି କହିଛନ୍ତି ଯେ, ଉଦ୍ଧାର ହୋଇଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗାନ୍ଧୀନଗର ସିଭିଲ୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇ ନଥିବାରୁ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଏଥିସହ ସେ କହିଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ୧୨ ଜଣ ଶ୍ରମିକ ଏବେ ସୁରକ୍ଷିତ ଅଛନ୍ତି । ଗାନ୍ଧୀନଗର ସିଭିଲ୍ ହସ୍ପିଟାଲ ଟାଲର ଅଧୀକ୍ଷକଙ୍କଠାରୁ ସୂଚନା ପାଇବା ପ୍ରଶାସନ ଆହତମାନଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିବା ସହ ଏହି ବିବୃତ୍ତି ଦେଇଛନ୍ତି । ଏହା ବ୍ୟତୀତ ସାରା ରାତି ଭଗ୍ନାବଶେଷ ସଫା କରିବା ଏବଂ ସମଗ୍ର ଅଞ୍ଚଳର ପୁଙ୍ଖାନୁପୁଙ୍ଖ ସନ୍ଧାନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ଏକାଧିକ ସଂସ୍ଥା ନିୟୋଜିତ ଅଛନ୍ତି । ଗାନ୍ଧୀନଗର ନଗର ନିଗମ, ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏହା ସହିତ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF)ର ଦଳ ମଧ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଭଗ୍ନାବଶେଷ ହଟାଇବା ପାଇଁ ସ୍ୱତନ୍ତ୍ର ଯନ୍ତ୍ରପାତି ବ୍ୟବହାର କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳକୁ କଂକ୍ରିଟ୍ ଏବଂ ଲୁହା କଟା ମେସିନ୍ ଅଣାଯାଇଛି । ଯାହା ୩୦୦ ଟନରୁ ଅଧିକ ଓଜନ ଉଠାଇବା ପାଇଁ ସକ୍ଷମ । ଏଥିସହ ଏକ ସ୍ୱତନ୍ତ୍ର କ୍ରେନ୍ ମଧ୍ୟ ଅଣାଯାଇଛି । ଏବେ କୌଣସି ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି କି ନାହିଁ ପ୍ରଶାସନ ନିଶ୍ଚିତ କରିବାକୁ ପ୍ରତ୍ୟେକ ଅଂଶ ଯାଞ୍ଚ କରାଯାଉଛି ।