ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍ ହସିନା: କହିଲେ, ମରିବାର ଥିଲେ ନିଜ ମାଟିରେ ମରିବି
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆସନ୍ତା ଡିସେମ୍ବର ମାସରେ ଭାରତରୁ ନିଜ ଦେଶ ବାଂଲାଦେଶ ଫେରିବେ। ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ସେ ବାଂଲାଦେଶ ଫେରିବା ନିଷ୍ପତ୍ତିରୁ ପଛଘୁଂଚା ଦେବେନାହିଁ ବୋଲି କହିଛନ୍ତି ହସିନା । ଏକ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ହସିନା ଲେଖିଛନ୍ତି, ‘ଯଦି ମୋ ଭାଗ୍ୟରେ ମୃତ୍ୟୁ ଲେଖାଅଛି, ତେବେ ନିଜ ଦେଶର ମାଟିରେ, ନିଜ ଲୋକଙ୍କ ଗହଣରେ ମରିବାକୁ ମୁଁ ପସନ୍ଦ କରିବି। ତେଣୁ ମୁଁ ବାଂଲାଦେଶ ଫେରିବି। ମୋର ଏହି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।’ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ୨୦୨୫ରେ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । ୨୦୨୪ ଛାତ୍ର ଆନ୍ଦୋଳନ ସମୟରେ ହୋଇଥିବା ଦମନଲୀଳାକୁ ଆଳ କରି ଟ୍ରିବ୍ୟୁନାଲ୍ ତାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଥିଲା।
ଅଦାଲତଙ୍କ ଅନୁସାରେ, ହସିନାଙ୍କ ନିର୍ଦ୍ଦେଶରେ ଏହି ଦମନଲୀଳା ରଚାଯାଇଥିଲା ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଜାତିସଂଘର ଏକ ରିପୋର୍ଟରେ ଏହି ଆନ୍ଦୋଳନ ସମୟରେ ପ୍ରାୟ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ତେବେ ହସିନା ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଟ୍ରିବ୍ୟୁନାଲ୍ର ରାୟକୁ ସେ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ସହ ମାମଲାର ବିଚାର ପ୍ରକ୍ରିୟାର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ଏହି ମାମଲାର ବିଚାର ଠିକ୍ ଭାବେ କରାଯାଇନାହିଁ।
ସୂଚନାଯୋଗ୍ୟ, ୨୦୨୪ରେ ବାଂଲାଦେଶରେ ବ୍ୟାପକ ଛାତ୍ର ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ଯୋଗୁଁ ଶେଖ୍ ହସିନାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା। କ୍ଷମତା ଛାଡ଼ିବା ପରେ ସେ ଭାରତ ଚାଲିଆସିଥିଲେ ଏବଂ ସେବେଠାରୁ ଭାରତରେ ରହୁଛନ୍ତି। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ସେ ଲଗାତାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ। ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବାଂଲାଦେଶ ସରକାର ଏକାଧିକ ଥର ଭାରତକୁ ଅନୁରୋଧ କରିଛନ୍ତି। କିନ୍ତୁ ଭାରତ ତାଙ୍କୁ ବାଂଲାଦେଶ ହସ୍ତାନ୍ତର କରିବାକୁ ମନା କରିଦେଇଛି। ହସିନା ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ଡିସେମ୍ବରରେ ଦେଶକୁ ଫେରିବା ନେଇ ନିଜର ଇଚ୍ଛା ପ୍ରକାଶ କରିଥିଲେ। ତେବେ ସେଥିରେ ପରିବର୍ତ୍ତନ ଘଟିଥିଲା । ବାଂଲାଦେଶ ଫେରିବା ପରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। କାରଣ ତାଙ୍କ ବିରୋଧରେ ମୃତ୍ୟୁଦଣ୍ଡର ରାୟ ଆସିସାରିଛି। ତଥାପି ନିର୍ବାସିତ ଜୀବନ ବିତାଇବାକୁ ସେ ଚାହୁଁନାହାନ୍ତି। ପରିଣାମ ଯାହା ହେଉ ନା କାହିଁକି, ନିଜ ଦେଶକୁ ଫେରିବାକୁ ସେ ଦୃଢ଼ ସଂକଳ୍ପବଦ୍ଧ ବୋଲି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି।