ଭୁବନେଶ୍ୱର: ଦୀପାବଳି ରାତିରେ କଡ଼ା ପହରା । ଦୀପାବଳି ପାଇଁ ଟ୍ୱିନ୍ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ୱର ଓ କଟକରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ବେଆଇନ ବାଣ ବିକ୍ରି ଓ ଅଗ୍ନିକାଣ୍ଡ ରୋକିବା ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ । ରାତିରେ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ଫୁଟାଇପାରିବେ । ରାତି ୯ଟା ପରେ ବାଣ ଫୁଟାଇଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଭୁବନେଶ୍ୱରରେ ଦୀପାବଳି ରାତି ପାଇଁ ୨୭ ସେକ୍ସନ୍ ପୋଲିସ ଫୋର୍ସ ମୁତୟନ ରହିବେ । ସହରର ୨୪ଟି ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ୧୪ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ୍ ଛକରେ ପୋଲିସ ମୁତୟନ ସହ ମୋବାଇଲ୍ ପାଟ୍ରୋଲିଂ ଓ ପିସିଆର୍ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୪୪୨ଟି ଅସ୍ଥାୟୀ ବାଣ ଦୋକାନକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ବେଆଇନ ବାଣ ବିକ୍ରି ରୋକିବାକୁ ଦୁଇଟି ସ୍ୱତନ୍ତ୍ର ଯାଞ୍ଚ ଟିମ୍ ଗଠନ ହୋଇଛି । ଗତ ୨୦ ତାରିଖରୁ ଗତ ୬ ତାରିଖ ମଧ୍ୟରେ ପୋଲିସ ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିବା ସହ ୮ଟି ମାମଲା ରୁଜୁ କରିଛି । ସେପଟେ କଟକରେ ମଧ୍ୟ ଦୀପାବଳି ଓ କାଳୀପୂଜା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ ଦୀପାବଳି ପାଇଁ ୩୦ ପ୍ଲାଟୁନ୍ ଓ କାଳୀପୂଜା ପାଇଁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ।
ଏଥିସହ ୩୦ଟି ପିସିଆର୍ ଗାଡ଼ି ପାଟ୍ରୋଲିଂ କରିବ। ବେଆଇନ ବାଣ ବିକ୍ରି ଅଭିଯୋଗରେ ୧୪ ସ୍ଥାନରେ ଚଢ଼ାଉ କରାଯାଇଛି । କଟକର ଘନ ଜନବସତି ଓ ସଂକୀର୍ଣ୍ଣ ଗଳିରେ ଅଗ୍ନିକାଣ୍ଡ ଆଶଙ୍କା ଥିବାରୁ ରକେଟ୍ ଭଳି ବିପଜ୍ଜନକ ବାଣ ବ୍ୟବହାର ନକରିବାକୁ ପୋଲିସ ପରାମର୍ଶ ଦେଇଛି । ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଅଦାଲତ ଓ ଅନ୍ୟ ନିରବ ଅଞ୍ଚଳରେ ବାଣ ଫୁଟାଇବା ନିଷେଧ । ଜନଗହଳିପୂର୍ଣ୍ଣ ରାସ୍ତା, ଦୋକାନ ଓ ଅଗ୍ନିକାଣ୍ଡପ୍ରବଣ ସ୍ଥାନରେ ମଧ୍ୟ ବାଣ ଫୁଟାଇବାରୁ ଦୂରେଇ ରହିବାକୁ କୁହାଯାଇଛି । ବାଣ କିଣିବା ସମୟରେ ଗ୍ରୀନ୍ କ୍ରାକର୍ସର ଲୋଗୋ ଓ କ୍ୟୁଆର୍ କୋଡ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଅଗ୍ନିକାଣ୍ଡ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।