ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି: ୧୬ରେ ବିଧାନସଭାରେ ଯୋଗଦେବେ
ଦେଶର ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏକ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ଏହି ଗସ୍ତ ସମୟରେ ଆସନ୍ତା ୧୬ ତାରିଖ ଦିନ ସେ ଓଡ଼ିଶା ବିଧାନସଭାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପାଇଁ ରାଜ୍ୟ ସରକାର, ବିଧାନସଭା ସଚିବାଳୟ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୧୬ ତାରିଖରେ ଉପରାଷ୍ଟ୍ରପତି ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଓଡ଼ିଶା ବିଧାନସଭାରେ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେବେ । ଏହି ଶିବିରରେ ବିଧାନସଭାର ସଦସ୍ୟମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା, ସଂସଦୀୟ ପରମ୍ପରା ଓ ବିଧାନସଭାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମାର୍ଗଦର୍ଶନ ଦିଆଯିବା କାର୍ଯ୍ୟକ୍ରମ ରହିଛି ।
ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆରମ୍ଭ କରି ବିଧାନସଭା ଏବଂ ତାଙ୍କର ରହଣି ସ୍ଥାନ ପର୍ଯ୍ୟନ୍ତ ସୁରକ୍ଷା ବଳୟକୁ ତ୍ରିସ୍ତରୀୟ କରାଯାଇଛି।