ନିଜ ଦଳର ବିଧାୟକଙ୍କୁ ‘ପାଗଳ କୁକୁର’ କହିଲେ CM, ତେଲଙ୍ଗାନା କଂଗ୍ରେସରେ ହଇଚଇ
ତେଲଙ୍ଗାନା କଂଗ୍ରେସରେ ଏବେ ଦଳୀୟ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ୍ କରି ‘ପାଗଳ କୁକୁର’ ବୋଲି କହିବା ପରେ ରାଜନୈତିକ ବିବାଦ ଦେଖାଦେଇଛି । ଏହାର କଡ଼ା ଜବାବ ଦେଇଛନ୍ତି ମୁନୁଗୋଡେ ବିଧାନସଭା ଆସନର କଂଗ୍ରେସ ବିଧାୟକ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀ।
ଶୁକ୍ରବାର ରାଜ ଗୋପାଳ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ତୀବ୍ର ଆପତ୍ତି ଉଠାଇ କହିଛନ୍ତି, ଉଚ୍ଚ ପଦପଦବୀରେ ଥିବା ନେତାମାନେ ସଂଯମତା ରକ୍ଷା କରିବା ସହ ମର୍ଯ୍ୟାଦାଜନକ ଭାଷା ବ୍ୟବହାର କରିବା ଉଚିତ । କ୍ଷମତାରେ ଥିବା ଲୋକଙ୍କ ମଧ୍ୟରେ ଅହଂକାର ଓ ଦୁର୍ନୀତି ରହିଥିବା ଅଭିଯୋଗ କରିବା ସହ ସେମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା କହିଛନ୍ତି । ଏହି ବିବାଦର ଆରମ୍ଭ ଗୁରୁବାର ସିଦ୍ଦିପେଟ୍ରେ ଏକ ଜନସଭାରୁ ହୋଇଥିଲା। ସେଠାରେ ରେବନ୍ତ ରେଡ୍ଡୀ ଦଳର କିଛି ବିଧାୟକଙ୍କୁ ନାଁ ନନେଇ ସମାଲୋଚନା କରିଥିଲେ । ତାଙ୍କ କହିବା ଅନୁସାରେ, କିଛି ନେତା ବ୍ୟକ୍ତିଗତ ଭାବେ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ସର୍ବସାଧାରଣରେ ସରକାରଙ୍କୁ ସମାଲୋଚନା କରୁଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଦଳର କିଛି ଲୋକଙ୍କୁ ଯେମିତି ‘ପାଗଳ କୁକୁର’ କାମୁଡ଼ିଛି । ସେମାନେ ସମସ୍ତଙ୍କ ସାମ୍ନାରେ ସବୁ କଥାକୁ ସମାଲୋଚନା କରୁଛନ୍ତି, କିନ୍ତୁ ଘରକୁ ଆସିଲେ ସରକାରଙ୍କ ଭଲ କାମକୁ ପ୍ରଶଂସା କରୁଛନ୍ତି। ଏପରି ନେତାଙ୍କୁ କଂଗ୍ରେସ କର୍ମୀମାନେ ମାନସିକ ଚିକିତ୍ସାଳୟକୁ ନେଇଯିବେ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀ ଓ ଅନିରୁଦ୍ଧ ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଥିବା ଚର୍ଚ୍ଚା ହେଉଛି । ନିକଟରେ ଏହି ଦୁଇ ନେତା ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ଏହା ପରେ ରାଜ ଗୋପାଳ ରେଡ୍ଡୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଉଚ୍ଚ ସାମ୍ବିଧାନିକ ଓ ରାଜନୈତିକ ପଦବୀରେ ଥିବା ନେତାଙ୍କ ଆଚରଣ ଓ ଭାଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ତେଲେଙ୍ଗାନା କଂଗ୍ରେସରେ ଦଳୀୟ ମତଭେଦ ଆହୁରି ସାମ୍ନାକୁ ଆସିଛି ।