ଯୁକ୍ରେନ୍ ଯୁଦ୍ଧକୁ ନେଇ ଏମିତି କହିଲେ ପୁଟିନ
ମସ୍କୋ : ଦୀର୍ଘ ୮ ମାସ ଧରି ୟୁକ୍ରେନରେ ଆକ୍ରମଣ ଚଳାଇଥିବା ରୁଷ୍ ଗତ ସପ୍ତାହରେ ୟୁକ୍ରେନର ପ୍ରମୁଖ ସହରମାନଙ୍କରେ ଭୟଙ୍କର କ୍ରୁଜ୍ ମିସାଇଲ ମାଡ଼ କରିଥିଲା। ରୁଷ୍ର ଏଭଳି ବର୍ବରତାକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ କଡ଼ା ନିନ୍ଦା କରିଥିଲେ। ନାଟୋ ମୁଖ୍ୟ ମଧ୍ୟ ରୁଷ୍ର ଏଭଳି ଅମାନବୀୟ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ତେବେ ପୁଟିନ ଆଜି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି।
ପୁଟିନ କହିଛନ୍ତି, ୟୁକ୍ରେନ୍କୁ ଧ୍ବଂସ କରିଦେବା ରୁଷ୍ର ଲକ୍ଷ୍ୟ ନୁହେଁ। ରୁଷ୍ ଏହାର ପଡ଼ୋଶୀ ରାଷ୍ଟ୍ରକୁ ଏଭଳି ଭାବେ ଧ୍ବଂସ କରିବାର ଲକ୍ଷ୍ୟ ରଖିନାହିଁ। କଜାଖସ୍ତାନରେ ଏକ ସମ୍ମିଳନୀ ଶେଷରେ ପୁଟିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଟିପ୍ପଣୀ ଦେଇଛନ୍ତି। ପୁଟିନ କହିଛନ୍ତି, ରିଜର୍ଭ ଓ ନୂତନ ସୈନିକଙ୍କୁ ଯୁଦ୍ଧରେ ସାମିଲ କରାଇବା କାର୍ଯ୍ୟ ଆସନ୍ତା ୨ ସପ୍ତାହରେ ଶେଷ ହେବ। ଅନ୍ୟପକ୍ଷେ ୟୁକ୍ରେନ୍ରେ ୮ ମାସ ଯୁଦ୍ଧ ପାଇଁ ପୁଟିନ ଆଦୌ ପଶ୍ଚାତାପ କରିନଥିବା କହିଛନ୍ତି। ପୁଟିନ କହିଛନ୍ତି, ନାଟୋ ବାହିନୀ ସହ ସିଧାସଳଖ ସଂଘର୍ଷ ଦ୍ବାରା ବଡ଼ ବିପର୍ଯ୍ୟୟ ଆସିପାରେ। ପୁଟିନ କହିଛନ୍ତି, ବର୍ତ୍ତମାନ ପାଇଁ ୟୁକ୍ରେନ ଉପରେ ଆଉ ଗଣଆକ୍ରମଣର ଯୋଜନା ନାହିଁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏବେ କଥାବାର୍ତ୍ତାର କିଛି ଆବଶ୍ୟକତା ନଥିବା ପୁଟିନ କହିଛନ୍ତି। ଅନ୍ୟପକ୍ଷରେ ରୁଷ୍ ଏବେ ନାଟୋ ସୀମାରେ ୧୧ଟି ପରମାଣୁ ଅସ୍ତ୍ରବାହକ ଯୁଦ୍ଧ ବିମାନ ମୁତୟନ କରିଛି। ନରୱେ ସୀମାରୁ ମାତ୍ର ୨୦ ମାଇଲ୍ ଦୂରରେ ଏହା ମୁତୟନ ହୋଇଛି।