ବାଣ ନୁହେଁ ମିଠା କିଣ , ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀରେ ଏଥର ବାଣ ଫୁଟିବ କି ନାହିଁ? ଲୋକେ ଆତସବାଜୀ କରିବେ ନା ନାହିଁ? ଏନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଆସିଛି କୋର୍ଟଙ୍କ ରୋଚକ ରାୟ। ଉଚ୍ଚତମ ନ୍ୟାୟଳୟ କହିଛନ୍ତି, ‘ ଦିଲ୍ଲୀବାସୀଙ୍କୁ ପ୍ରଥମେ ପ୍ରଦୂଷଣମୁକ୍ତ ବାୟୁରେ ନିଶ୍ୱାସ ନେବାକୁ ଦିଆଯାଉ। ଲୋକେ ବାଣ ନ କିଣି ମିଠା କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ ।’
ଦିଲ୍ଲୀରେ ବାଣ ଫୁଟାଇବା ଉପରେ ବ୍ୟାନ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବିଜେପି ନେତା ମନୋଜ ତିୱାରୀ। ଏପରିକି ଦୀପାବଳିକୁ ଆଉ ମାତ୍ର ଦୁଇ ଦିନ ଥିବାରୁ ତାଙ୍କ ଆବଦେନ ଉପରେ ତୁରନ୍ତ ଶୁଣାଣି ପାଇଁ ଅପିଲ୍ କରିଥିଲେ ମନୋଜ। ନିଜ ଆବଦେନରେ ମନୋଜ ଦର୍ଶାଇଥିଲେ ଯେ, ଜୀବନ ଅଧିକାରର ବାହାନା କରି ଧର୍ମର ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ। ତେଣୁ ବାଣ ବିକ୍ରିକୁ ଅନୁମତି ଦେବାକୁ ସେ କୋର୍ଟକୁ ଅନୁରୋଧ କରିଥିଲେ। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।