ଭାରତ ଯୋଡୋ ଯାତ୍ରାରେ ସାମିଲ ପୂଜା ଭଟ୍ଟ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ର ୫୬ ତମ ଦିନର ଆରମ୍ଭ ଆଜି ସକାଳେ ତେଲେଙ୍ଗାନାର ହାଇଦ୍ରାବାଦ ସହରରୁ ହୋଇଛି। ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ବଲିଉଡ୍ ଅଭିନେତ୍ରୀ ତଥା ଫିଲ୍ମ ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଛନ୍ତି। ଏହି ସମୟରେ ପୂଜା, ରାହୁଲ ଗାନ୍ଧୀଙ୍କ ସହ ପାଦରେ ପାଦ ମିଶାଇ ଚାଲୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପୂଜା, ରାହୁଲଙ୍କ ସହ ଚାଲୁଥିବା ସମୟରେ କଥା ହେଉଥିବାର ଦେଖିବାକୁ ମିଳିଛି। ପୂଜା ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯିଏକି ‘ଭାରତ ଯୋଡୋ ଯାତ୍ରା’ରେ ଜଡିତ ହୋଇଛନ୍ତି। ଅଭିନେତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ସେ ଏହି ଯାତ୍ରାରେ ୧୦.୫ କିଲୋମିଟର ଚାଲିଛନ୍ତି।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ଅଭିନେତ୍ରୀ ପୂଜା ଭଟ୍ଟଙ୍କ ସମର୍ଥନ ମିଳିଛି। ଏହି ଯାତ୍ରାରେ ଯୋଗଦେବା ପରେ ପୂଜା ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି ଯେଉଁମାନେ ଭାରତ ଯୋଡୋ ଯାତ୍ରାକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ସୋସିଆଲ ମିଡିଆ ମାଧ୍ୟମରେ କିଛି କଳାକାର ମଧ୍ୟ ଏହି ଯାତ୍ରାକୁ ସମର୍ଥନ କରିଛନ୍ତି।