କଂସ ହେବେ ହୃଷିକେଶ
ବରଗଡ଼ : ‘ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ହେଉଥିବା ବେଳେ ଏହି ଅବସରରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ। ଗତକାଲି ବିଳମ୍ବିତ ରାତିରେ କଂସ ଭୂମିକା ପାଇଁ ହୃଷିକେଶଙ୍କ ନାଁରେ ମୋହର ମାରିଛନ୍ତି ଚୟନ କମିଟି ସଭାପତି ବରଗଡ ଏଡିଏମ ମିର୍ଦ୍ଧା ଟପୋ।
ଧନୁ ଯାତ୍ରା ମଞ୍ଚ ହୃଷିକେଶଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ କଂସ ଭୂମିକାରେ ହୃଷିକେଶଙ୍କ ଅଭିନୟକୁ ୯ ବର୍ଷ ଦେଖିଛି ସାରା ଓଡ଼ିଶା। ହେଲେ ମଝିରେ ୩ ବର୍ଷ କଂସ ଭୂମିକା ହାତେଇବାରେ ପଛେଇ ଯାଇଥିବା ହୃଷିକେଶ କିନ୍ତୁ ଏଥର ପୁଣି ଥରେ ପିନ୍ଧିବେ କଂସର ମୁକୁଟ । ମୁହଁରେ ରଙ୍ଗ ବୋଳି, ପାଉଡର ମାଖି, କଂସ କଷ୍ଟୁମରେ ୧୦ କିମି ପରିଧୀର ଖୋଲା ମଞ୍ଚରେ ନିଜ ରାଜତ୍ୱ ଚଲାଇବେ। ହୃଷିକେଶଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ତାଙ୍କ ବିକଟାଳ ଅଟ୍ଟହାସ୍ୟରେ କମ୍ପିବ ଖୋଲା ମଞ୍ଚ ।
ଚଳିତ ବର୍ଷ କଂସ ଭୂମିକା ହାତେଇ ବେଶ୍ ଖୁସି ଥିବା ହୃଷିକେଶ ଭୋଇ ନିଜ ଜୀବନ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ବେଶ୍ ଆଶବାଦୀ ଅଛନ୍ତି। ଗତ ୩ ଦିନ ଧରି ଧନୁ ଯାତ୍ରା କଳାକାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଗତକାଲି ଥିଲା କଂସ ଚୟନ । ଏଥର କଂସ ପାଇଁ ୪୨ ଜଣ କଳାକାର ଅଡିସନ୍ରେ ସାମିଲ ହୋଇଥିଲେ ।
କଂସ ଭୂମିକା ପାଇଁ ଯୋଗ୍ୟ ବିବେଚିତ ହୋଇ ବେଶ୍ ଖୁସି ଥିବା ହୃଷିକେଶ କହିଛନ୍ତି, ଅଡିସନ ବେଳେ ଭୟ ରହୁଥିଲା। ତଥାପି ବହୁ ଜାଗାରେ କଂସ ଭୂମିକାରେ ଅଭିନୟ କରି ସାରିଛି। ତେଣୁ ନିଜ ଉପରେ ବିଶ୍ୱାସ ଥିଲା। ବହୁ ସୁନ୍ଦର ଭାବେ ଅଡ଼ିସନ ଦେଇଥିଲି । ନାଟ୍ୟ ସଂଳାପ ମଧ୍ୟ ଭଲ ଭାବେ କହିଥିଲି।
ବିଚାରକ ମଣ୍ଡଳୀ ଦ୍ୱାରା ମୋତେ ଦିଆଯାଇଥିବା ଅଡିସନ ବିନା ଡାଏଲଗରେ ନୃତ୍ୟ ନାଟିକାରେ ପ୍ରଦର୍ଶୀତ କରିଥିଲି। କୃଷ୍ଣ ମୋ ହୃଦୟରେ ଅଛନ୍ତି। ହେଲେ ତାଙ୍କୁ ଖୋଜିଖୋଜି ମୁଁ ପାଗଳ ହୋଇଯାଇଥିବାର ଅଭିନୟ ବିଚାରକ ମଣ୍ଡଳୀ ମଧ୍ୟରେ ବେଶ୍ ଆଦୃତି ଲାଭ କରିଥିଲା। ଉକ୍ତ ନାଟକରେ ଏତେ ମଜ୍ଜି ଯାଇଥିଲି ଯେ, ଲାଗୁଥିଲା ସତେ ଯେପରି ମୋ’ ସାମନାରେ ବିଚାରକ ନୁହନ୍ତି, ସାଧାରଣ ଦର୍ଶକ ବସିଛନ୍ତି ବୋଲି କହିଛନ୍ତି ହୃଷିକେଶ