କାହିଁକି ଏମିତି କହିଲେ କଂଗ୍ରେସ ନେତା, ଜାଣନ୍ତୁ କଣ
ନୂଆଦିଲ୍ଲୀ: ତାଙ୍କର ମନ୍ତବ୍ୟକୁ ଅପ୍ରାସଙ୍ଗିକ ଭାବେ ଉପସ୍ଥାପନ କରାଯାଇଛି ବୋଲି ‘ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର’ ବୋଲି କହିଥିବା ମଧ୍ୟ ପ୍ରଦେଶର ପୂର୍ବତନ କଂଗ୍ରେସ ନେତା ରାଜା ପଟେରିୟା ଆଜି କହିଛନ୍ତି।କଥାକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଅର୍ଥ ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବା।
ସେ କହିଛନ୍ତି, କହିବା ବେଳେ ହୁଏ ତ ପାଟିରୁ ଏମିତି ବାହାରି ଯାଇଛି। କିନ୍ତୁ, ଯେଉଁ ବ୍ୟକ୍ତିଜଣକ ଏହାକୁ ରେକର୍ଡ କରିଛନ୍ତି, ସେ ବ୍ୟକ୍ତି କଥାର ପୂର୍ବାପର ସଂହତି ବାଦ ଦେଇ ମନ୍ତବ୍ୟର ଉପସ୍ଥାପନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ କଂଗ୍ରେସ କର୍ମୀମାନଙ୍କର ବୈଠକରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ସମର୍ଥକମାନଙ୍କ ଗହଣରେ ପଟେରିୟା କହୁଛନ୍ତି ଯେ, ସମ୍ବିଧାନକୁ ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରନ୍ତୁ। ମୋଦୀ ନିର୍ବାଚନର ଅବସାନ ଘଟାଇବେ। ଧର୍ମ, ଜାତି ଓ ଭାଷା ଆଧାରରେ ମୋଦୀ ପୃଥକ୍ କରାଇବେ। ଦଳିତ, ଜନଜାତି ଓ ସଂଖ୍ୟାଲଘୁଙ୍କ ଭବିଷ୍ୟତ ବିପଦଗ୍ରସ୍ତ ହୋଇଛି। ଆପଣମାନେ ଯଦି ସମ୍ବିଧାନକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହନ୍ତୁ। ହତ୍ୟା କରିବା ଅର୍ଥ ତାଙ୍କୁ ପରାସ୍ତ କରିବା କଥା କହୁଛି।