ଅନୀଲ ଦେଶମୁଖଙ୍କୁ ମିଳିଲା ଆଶ୍ୱସ୍ତି

0

ମୁମ୍ବାଇ: ‘ସିବିଆଇ’ ଫାଇଲ୍‌ କରିଥିବା ୧୦୦ କୋଟି ଟଙ୍କାର ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ ନେତା ଅନୀଲ ଦେଶମୁଖଙ୍କୁ ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍‌. ଏସ୍‌. କର୍ଣ୍ଣିକ୍‌ଙ୍କ ଜଣିକିଆ ଖଣ୍ଡପୀଠ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। କିନ୍ତୁ, ଏହି ଜାମିନ ଆଦେଶ ବିରୋଧରେ ‘ସିବିଆଇ’ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା ଲାଗି ସମୟ ମାଗିବାରୁ ଖଣ୍ଡପୀଠଙ୍କ ଆଦେଶ ୧୦ ଦିନ ପରେ ଲାଗୁ ହେବ।ଏହି ମାମଲାର ଆର୍ଥିକ ଦିଗର ତଦନ୍ତ କରୁଥିବା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅଭି‌ଯୋଗ କରିଛି ଯେ, ରାଜ୍ୟର ଗୃହମନ୍ତ୍ରୀ ଥିବା ବେଳେ ଅନୀଲ ଦେଶମୁଖ ପୁଲିସ ଅଧିକାରୀ ସଚିନ ୱାଜେଙ୍କ ଜରିଆରେ ମୁମ୍ବାଇର କେତେକ ବାର୍‌ ଓ ରେସ୍ତୋରାଁରୁ ୪.୭୦ କୋଟି ଟଙ୍କା ଆଦାୟ କରିଥିଲେ।

ପୂର୍ବରୁ ନଭେମ୍ବର ୧୮ ତାରିଖରେ ଅନୀଲ ଦେଶମୁଖଙ୍କ ମାମଲାରେ ଜଡ଼ିତ ଥିବା ସଚିନ ୱାଜେଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ଜାମିନ ମଞ୍ଜୁର କରିଥିଲେ।

କିନ୍ତୁ, ଜାମିନ ପାଇ ସୁଦ୍ଧା ଚାକିରିରୁ ବରଖାସ୍ତ ହୋଇଥିବା ୱାଜେ ଜେଲ୍‌ରୁ ମୁକ୍ତ ହୋଇ ପାରି ନ ଥିଲେ। କାରଣ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବ‌ୋମା ଆତଙ୍କ ଏବଂ ତା’ପରେ ଥାନେ ବ୍ୟବସାୟୀ ମନସୁଖ ହିରନ୍‌ଙ୍କ ହତ୍ୟା ସମେତ ଅନ୍ୟ କେତେକ ମାମଲାରେ ସେ ଅଭିଯୁକ୍ତ ଅଟନ୍ତି।

Leave A Reply

Your email address will not be published.