ମାଣବସା ଗୁରୁବାରରେ ଜୀ ସାର୍ଥକର ଆଧ୍ୟାତ୍ମିକ ଭେଟି: ପ୍ରତି ଗୁରୁବାର ପରଦାରେ ପ୍ରସାରିତ ହେବ ‘ଲକ୍ଷ୍ମୀ ପୁରାଣ’

0

ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ଆସ୍ଥାର ଅନ୍ୟତମ ପବିତ୍ର ପର୍ବ ହେଉଛି ମାଣବସା ଗୁରୁବାର। ପ୍ରତିଟି ଓଡ଼ିଆ ଘରେ ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଥିବା ଏହି ପବିତ୍ର ଅବସରରେ ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଉପହାର ଆଣିଦେଇଛି ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ଜୀ ସାର୍ଥକ। ପ୍ରତ୍ୟେକ ପରିବାରରେ ସ୍ନେହ, ଶାନ୍ତି, ସୁଖ ଏବଂ ସମୃଦ୍ଧିର ବାତାବରଣ ଭରିଦେବା ଉଦ୍ଦେଶ୍ୟରେ ଜୀ ସାର୍ଥକ ପକ୍ଷରୁ ବିଶେଷ ପ୍ରସ୍ତୁତି ‘ଲକ୍ଷ୍ମୀ ପୁରାଣ’ ପ୍ରସାରିତ ହେଉଛି। ନିକଟରେ ଏହାର ଏକ ଭାବପୂର୍ଣ୍ଣ ପ୍ରୋମୋ ମୁକ୍ତିଲାଭ କରିଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଛି।

ଓଡ଼ିଶାର ଘରେ ଘରେ ମା’ ଲକ୍ଷ୍ମୀଙ୍କ ମହିମା ଓ ଆଦର୍ଶକୁ ପହଞ୍ଚାଇବା ପାଇଁ ଚ୍ୟାନେଲ୍ ପକ୍ଷରୁ ପ୍ରସାରଣ ସମୟକୁ ମଧ୍ୟ ଦର୍ଶକଙ୍କ ସୁବିଧା ଅନୁଯାୟୀ ସ୍ଥିର କରାଯାଇଛି। ପ୍ରତି ଗୁରୁବାର ଭୋର ୩ଟା, ଭୋର ୫ଟା, ସକାଳ ୭ଟା ଏବଂ ଅପରାହ୍ନ ୪ଟାରେ କେବଳ ଜୀ ସାର୍ଥକ ପରଦାରେ ଦର୍ଶକମାନେ ‘ଲକ୍ଷ୍ମୀ ପୁରାଣ’ ଦେଖିପାରିବେ। ପ୍ରାତଃକାଳର ପୂଜାର୍ଚ୍ଚନା ସମୟ ହେଉ ଅବା ଅପରାହ୍ନର ସମୟ, ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଏହି ପବିତ୍ର ପ୍ରସ୍ତୁତିକୁ ଉପଭୋଗ କରିପାରିବେ। ଟେଲିଭିଜନ୍ ବ୍ୟତୀତ ଡିଜିଟାଲ୍ ଦର୍ଶକମାନେ ୟୁଟୁବ ମାଧ୍ୟମରେ ମଧ୍ୟ ଏହାକୁ ଦେଖିବାର ସୁଯୋଗ ପାଇପାରିବେ।

ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ପୁରାଣ ପାଠ କରିବେ ଓଡ଼ିଶାର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଓ ମାମା ମିଶ୍ର। ଓଡ଼ିଆ ଘରର ପରମ୍ପରା ଅନୁସାରେ ଆମେ ଯେମିତି ମାଣବସା ଗୁରୁବାର ପାଳନ କରୁ, ସେହି ସଂସ୍କୃତିକୁ ସମ୍ମାନ ଦେଇ ଲକ୍ଷ୍ମୀ ପୁରାଣ ପାଠ ମାଧ୍ୟମରେ ଦର୍ଶକଙ୍କ ସହ ଯୋଡ଼ି ହେବାକୁ ସାର୍ଥକ ଏହି ପ୍ରୟାସ କରିଛି।

ଡିସେମ୍ବର ୧୦, ୧୭ ଓ ୨୪ ତାରିଖର ଗୁରୁବାର ଅପରାହ୍ନ ୪ଟାରେ ପ୍ରସାରିତ ହେବ ଏକ ସ୍ପେଶାଲ ଏପିସୋଡ୍। ଏଥିରେ “ଗୃହଲକ୍ଷ୍ମୀ”ର ପ୍ରତିଯୋଗୀମାନେ ଲକ୍ଷ୍ମୀ ପୁରାଣ ପାଠ କରିବେ। ଏହି ସ୍ପେଶାଲ ଏପିସୋଡ୍ ଟି ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପ୍ରସାରିତ ହେବ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ପରିବାର ସହିତ ଦେଖନ୍ତୁ “ଲକ୍ଷ୍ମୀ ପୁରାଣ”, କେବଳ ସାର୍ଥକରେ।

ଏହି ପବିତ୍ର ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରଶାନ୍ତ ପରିଡ଼ା ସମସ୍ତ ଓଡ଼ିଆ ଦର୍ଶକଙ୍କୁ ମାଣବସା ଗୁରୁବାରର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, “ମାଣବସା ଗୁରୁବାରର ଏହି ପବିତ୍ର ଅବସରରେ ଆମର ଏତିକି ପ୍ରାର୍ଥନା ଯେ ମା’ ଲକ୍ଷ୍ମୀ ପ୍ରତ୍ୟେକ ଘରେ ସୁଖ ଓ ସମୃଦ୍ଧି ଭରିଦିଅନ୍ତୁ ଏବଂ ଆପଣଙ୍କ ପରିବାରରେ ସବୁବେଳେ ସ୍ନେହ ଓ ଶାନ୍ତିର ବାତାବରଣ ଲାଗି ରହୁ। ଓଡ଼ିଆ ପରମ୍ପରା ଓ ଭକ୍ତିକୁ ସମ୍ମାନ ଜଣାଇ ଆମେ ‘ଲକ୍ଷ୍ମୀ ପୁରାଣ’ ପ୍ରସ୍ତୁତ କରିଛୁ। ମୋର ସମସ୍ତ ଓଡ଼ିଆ ଦର୍ଶକଙ୍କୁ ବିନମ୍ର ଅନୁରୋଧ, ଆପଣମାନେ ପ୍ରତି ଗୁରୁବାର ସପରିବାର ଜୀ ସାର୍ଥକରେ ‘ଲକ୍ଷ୍ମୀ ପୁରାଣ’ ନିଶ୍ଚୟ ଦେଖନ୍ତୁ।” ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରାକୁ ଉଜ୍ଜୀବିତ ରଖିବା ଦିଗରେ ଜୀ ସାର୍ଥକର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରତିଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସେ ଆଶା କରିଛନ୍ତି ।

Leave A Reply

Your email address will not be published.