ଭୀଷଣ ବର୍ଷାରେ ବେହାଲ ରାଜଧାନୀ
ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା । ଫଳରେ ତଳିଆ ଅଞ୍ଚଳରେ ଥିବା ସ୍କୁଲକୁ ଆଜି ବି ବନ୍ଦ ରଖାଯାଇଛି । ବନ୍ୟାଜଳ ତିଳକମାର୍ଗରେ ଥିବା ସୁପ୍ରିମକୋର୍ଟ ଓ ରାଜଘାଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବେ ବି ସେଠାରୁ ପାଣି ଛାଡି ନ ଥିବା ଜଣାଯାଇଛି । ଫଳରେ ଯାତାୟାତ ସମସ୍ୟା ଦେଖାଦେଇଛି ।
ମିିଳିଥିବା ସୂଚନା ଅନୁସାରେ, ଉ୍ତର ପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁର ନିକଟରେ ଶୁକ୍ରବାର ବନ୍ୟା ଜଳରେ ଗାଧୋଉଥିବାବେଳେ ୩ ଜଣ ନାବାଳକ ଭାସି ଯାଇଛନ୍ତି । ଗତକାଲି ଅପରାହ୍ନ ୩ଟାବେଳେ ଏହି ଦୁର୍ଘଟଣା ଘଟିଛି । ପିଲାମାନେ ନିକଟରେ ଥିବା ବନ୍ୟାପାଣିରେ ଗାଧୋଇବା ପାଇଁ ଡେଇଁ ପଡିଥିବାବେଳେ ଭାସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ହେଲେ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା । ଏହି ନାବାନଳଙ୍କ ବୟସ ୧୦ରୁ ୧୩ ବର୍ଷ ମଧ୍ୟରେ ।