ଅଜିତ ପାୱାରଙ୍କୁ ଅର୍ଥ ବିଭାଗ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଜି ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ ହୋଇଛି। ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଏନ୍ସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ଅଜିତ ପାୱାରଙ୍କ ୮ ଏନ୍ସିପି ସହକର୍ମୀଙ୍କୁ ମଧ୍ୟ ବିଭାଗ ମିଳିଛି। ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ଦ୍ବାରା ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ମନ୍ତ୍ରୀ ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ଖାଉଟି ଯୋଗାଣ ବିଭାଗ ମିଳିଛି। ଦିଲୀପ ୱାଲସେ ପାଟିଲଙ୍କୁ ସମବାୟ ବିଭାଗ ମିଳିଛି। ଧନଞ୍ଜୟ ମୁଣ୍ଡେ ହେଉଛନ୍ତି ମହାରାଷ୍ଟ୍ରର ନୂଆ କୃଷି ମନ୍ତ୍ରୀ। ଆଦିତି ତତ୍କରେ ନୂଆ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ। ଆଦିତି ତତ୍କରେ ମନ୍ତ୍ରିମଣ୍ଡଳରେ ଯୋଗ ଦେବା ସହ ସିନ୍ଦେ ସରକାରରେ ଜଣେ ମହିଳା ବିଧାୟକଙ୍କୁ ପ୍ରଥମ ଥର ପାଇଁ କ୍ୟାବିନେଟ୍ରେ ସ୍ଥାନ ମିଳିଲା। ଅନ୍ୟ ଏନ୍ସିପି ମନ୍ତ୍ରୀ ତଥା ହାସନ ମୁସରିଫଙ୍କୁ ମେଡିକାଲ ଶିକ୍ଷା, ଧର୍ମରାଓ ଅତ୍ରମଙ୍କୁ (ଖାଦ୍ୟ ଏବଂ ଔଷଧ ପ୍ରଶାସନ) ଏବଂ ସଂଜୟ ବନସୋଦଙ୍କୁ କ୍ରୀଡ଼ା ବିଭାଗ ମିଳିଛି।
ଅଜିତଙ୍କୁ ଅର୍ଥ ବିଭାଗ ମିଳିବାପରେ ଶିବସେନା ବିଧାୟକଙ୍କ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇପାରେ। ତେବେ ମନ୍ତ୍ରିମଣ୍ଡଳରେ ୯ ଏନ୍ସିପି ମନ୍ତ୍ରୀ ସାମିଲ ହେବା ସହ ମୋଟ୍ ୨୯ ମନ୍ତ୍ରୀ ଅଛନ୍ତି। ଆଗକୁ ପୁଣିଥରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି କୁହାଯାଉଛି।