ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP)ର ପୂର୍ବତନ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସୋସିଆଲ ମିଡିଆରେ ରାଘବ ଚଢାଙ୍କ ବିରୋଧରେ ପୋଷ୍ଟ ହୋଇଥିବା ଅପମାନଜନକ ଏବଂ ମାନହାନିକର କଣ୍ଟେଣ୍ଟକୁ ତୁରନ୍ତ ହଟାଇବା ପାଇଁ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାର ଶୁଣାଣି ସମୟରେ ନ୍ୟାୟମୂର୍ତ୍ତି ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ କହିଛନ୍ତି ଯେ, କୌଣସି ଜନପ୍ରତିନିଧିଙ୍କ ବିରୋଧରେ “ଟଙ୍କା ପାଇଁ ନିଜକୁ ବିକ୍ରି କରିଦେଇଛନ୍ତି” ଭଳି ଆଧାରହୀନ ଅଭିଯୋଗ ଲଗାଇବା ସିଧାସଳଖ ଭାବେ ମାନହାନିର ଶ୍ରେଣୀରେ ଆସେ। ଏଭଳି ପୋଷ୍ଟ କାହାରି ସୁନାମକୁ କ୍ଷତି ପହଞ୍ଚାଉଥିବାରୁ ଏହାକୁ ସୋସିଆଲ ମିଡିଆରେ ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ।
ତେବେ ନିକଟରେ ଆମ୍ ଆଦମି ପାର୍ଟି ଛାଡି ବିଜେପିରେ ଯୋଗ ଦେବା ପରେ ଅନେକ ଟ୍ରୋଲର ଶିକାର ହୋଇଛନ୍ତି ବିଜେପି ସାଂସଦ ରାଘବ ଚଢା । ଯାହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରି ଅନ୍ତରୀଣ ରିଲିଫ୍ ମାଗିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ଏଆଇ ଡିପଫେକ୍ ଭିଡିଓ, ମର୍ଫଡ୍ (Morphhed) ଫଟୋ ଏବଂ ତଥ୍ୟକୁ ବିକୃତ କରି ପ୍ରସ୍ତୁତ କରାଯାଇଥିବା ସୋସିଆଲ ମିଡିଆ କଣ୍ଟେଣ୍ଟ ମାଧ୍ୟମରେ ତାଙ୍କ ସ୍ୱର, ପରିଚୟ ଓ ଛବିର ଦୁରୁପଯୋଗ କରାଯାଉଛି। ସେ କହିଥିଲେ ଯେ, ଏହିପରି ଲୋକଙ୍କୁ ଭ୍ରମିତ କରୁଥିବା କଣ୍ଟେଣ୍ଟ ତାଙ୍କ ବ୍ୟକ୍ତିଗତ ସମ୍ମାନ ଓ ସାର୍ବଜନୀନ ଛବିକୁ କ୍ଷତି ପହଞ୍ଚାଉଛି। ସେଥିପାଇଁ ଏହାକୁ ତୁରନ୍ତ ହଟାଇବା ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
ଯାହାର ଶୁଣାଣି କରିବା ବେଳେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲା ‘ବ୍ୟକ୍ତିଗତ ଅଧିକାର(Personality Rights)’ ସହ ସମ୍ପର୍କିତ ନୁହେଁ, ବରଂ ଏହା ସିଧାସଳଖ ମାନହାନି (Defamation) ଓ ଛବିକୁ କ୍ଷତି ପହଞ୍ଚାଇବା ସହ ଜଡିତ। କୋର୍ଟ କହିଛନ୍ତି, AI ଡିପ୍ଫେକ୍, ମର୍ଫଡ୍ ବା ବିକୃତ ଫଟୋ କିମ୍ବା ମିଥ୍ୟା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କାହାରି ସୁନାମକୁ କ୍ଷତି ପହଞ୍ଚାଇବା ଆଇନସମ୍ମତ ନୁହେଁ। ତେଣୁ ଏଭଳି ସମସ୍ତ ଅପମାନଜନକ କଣ୍ଟେଣ୍ଟକୁ ତୁରନ୍ତ ହଟାଇବାକୁ ସମ୍ପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ତଥାପି କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି, ଯେ ସବୁ ବିଷୟବସ୍ତୁ ହଟିବ ନାହିଁ,କେବଳ ୫ଟି ଜାଲ୍ ଅନଲାଇନ୍ ଦସ୍ତାବିଜ୍ ହଟାଯିବ । ବ୍ୟକ୍ତିଗତ ଅଧିକାର ସୁରକ୍ଷା ପାଇଁ ବିଜେପି ସାଂସଦ ରାଘବ ଚଢାଙ୍କ ଆବେଦନ ଉପରେ ସମସ୍ତ ବିଷୟବସ୍ତୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ତେବେ କୋର୍ଟ ପାଞ୍ଚଟି ଜାଲ୍ ଦସ୍ତାବିଜ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଆଦେଶ ଘୋଷଣା କରି ବିଚାରପତି ସୁବ୍ରମୋନିୟମ୍ ପ୍ରସାଦ କହିଛନ୍ତି, ଅବଶିଷ୍ଟ ବିଷୟବସ୍ତୁ ମାନହାନିକାରକ ନୁହେଁ। ବ୍ୟକ୍ତିଗତ ଅଧିକାରକୁ ସୁରକ୍ଷା ଦେବା ଏବଂ ମାନହାନିକାରକ ସାମଗ୍ରୀକୁ ଅପସାରଣ କରିବା ପାଇଁ କୌଣସି ବ୍ୟାପକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ହାଇକୋର୍ଟ ମନା କରିଦେଇଛନ୍ତି। ମେ’ ୨୧ ତାରିଖରେ, ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି ସମୟରେ, କୋର୍ଟ ପ୍ରାରମ୍ଭରେ ଟିପ୍ପଣୀ ଦେଇଥିଲେ ଯେ, ଚଢାଙ୍କ ଦ୍ୱାରା ଉଦ୍ଧୃତ ବିଷୟବସ୍ତୁ କୌଣସି ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ କରିନାହିଁ। କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଏହା ରାଜନୈତିକ ସମାଲୋଚନା ଭଳି ଥିଲା।