ଭୁବନେଶ୍ୱର (ଆମ ଟିଭି): ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ଦଳକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ନାଚଗୀତ, ମେଲୋଡି ଜରିଆରେ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀ କେମିତି ପ୍ରଚାର କରୁଛନ୍ତି ତାହା ଓଡ଼ିଶାବାସୀ ଦେଖୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି, ତାଙ୍କ ଗୁମାସ୍ତାଙ୍କ ପାଖରେ ରିମୋଟ ଅଛି ।
ଗତକାଲି ପ୍ରଧାନମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହାର ଉତ୍ତର ଯଦି ଜନସଭାରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ଦେଇଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା । କିନ୍ତୁ ବିମାନ ଭିତରୁ ଦିବା ସ୍ୱପ୍ନ କଥା କହିବା ଶୋଭାଦେଲାନି । ୨୪ ବର୍ଷ ଓଡ଼ିଶାରେ ବିଜେଡି ସରକାର ଅଛି, କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଲେ ମଧ୍ୟ କାହିଁକି ଓଡ଼ିଶାର ଗାଁ ଗଣ୍ଡାରେ ପିଇବା ପାଣିର ସୁବିଧା ନାହିଁ । ମହାନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କାହିଁକି ଜଳସେଚନ ସୁବିଧା ନାହିଁ । ଓଡ଼ିଶାର ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି । ସ୍କୁଲରେ କାହିଁକି ଶିକ୍ଷକ ନାହାନ୍ତି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ କାହିଁକି? ଦାଦନ କାହିଁକି ସ୍ଥାୟୀ ବ୍ୟବସ୍ଥା ପାଲଟିଛି? ତାହାର ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଦିବା ସ୍ୱପ୍ନର କଥା କହୁଛନ୍ତି । ତାହା ହେଲେ ୨୪ ବର୍ଷ ହେଲା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ସ୍ୱପ୍ନ ଦେଖାଉଥିଲେ ।