ଭୁବନେଶ୍ଵର: ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଜଳସ୍ତର ଓ ପରିସ୍ଥିତି ଉପରେ ନଜର ରଖିବାକୁ SRC କାର୍ଯ୍ୟାଳୟ ଓ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ NDRF, ODRAF, ଅଗ୍ନିଶମ ଓ ପୋଲିସ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଆଶ୍ରୟସ୍ଥଳୀରେ ପାନୀୟ ଜଳ, ରନ୍ଧାଖାଦ୍ୟ, ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଏବଂ ଗୃହପାଳିତ ପଶୁଖାଦ୍ୟର ବ୍ୟବସ୍ଥା କରାଯାଇଛି। ବନ୍ୟାକ୍ଷତିଗ୍ରସ୍ତ ବାସଗୃହ ଓ ଚାଷଜମି ପାଇଁ ଲୋକଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।