ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

0

ଭୁବନେଶ୍ବର: ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ । ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟା ସମ୍ଭାବନା । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଆକଳନ ଅନୁସାରେ, ଏହି ତିନି ମାସ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରକୁ ମିଶାଇ ଉତ୍ତର ଭାରତ ମହାସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇପାରେ । ତେବେ ୩ଟି ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ନୁହେଁ । ଚିନ୍ତାର କାରଣ ହେଉଛି ଏଥର ବାତ୍ୟାଗୁଡ଼ିକର ମୋଟ ଶକ୍ତି ସାଧାରଣଠାରୁ ବହୁତ ଅଧିକ ହୋଇପାରେ ।

ଗତ ୪୪ ବର୍ଷର ହାରାହାରି ତୁଳନାରେ ୨୦୨୬ର ଅକ୍ଟୋବର-ଡିସେମ୍ବରରେ ବାତ୍ୟାଗୁଡ଼ିକର ମିଳିତ ବିନାଶକାରୀ ଶକ୍ତି ପ୍ରାୟ ୮୩ ପ୍ରତିଶତ ଅଧିକ ରହିପାରେ । ଏହାର ଅର୍ଥ କିନ୍ତୁ ପ୍ରତ୍ୟେକ ବାତ୍ୟା ୮୩ ପ୍ରତିଶତ ଅଧିକ ଶକ୍ତିଶାଳୀ ହେବ ନାହିଁ । ଗୋଟିଏ ବାତ୍ୟା ଯଦି ଅଧିକ ଶକ୍ତିଶାଳୀ ହୁଏ ଏବଂ ଅଧିକ ସମୟ ଧରି ସେହି ଶକ୍ତି ବଜାୟ ରଖେ, ତେବେ ମୋଟ ବାତ୍ୟା ଶକ୍ତି ବହୁତ ବଢ଼ିଯାଇପାରେ । ଅକ୍ଟୋବର ଓ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟାପ୍ରବଣ ସମୟ । ଅତୀତରେ ଏହି ସମୟରେ ବଙ୍ଗୋପସାଗରରୁ ଆସିଥିବା ଅନେକ ଶକ୍ତିଶାଳୀ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି । ଏଥର ଯଦି ବାତ୍ୟା ଅଧିକ ଶକ୍ତିଶାଳୀ ହୁଏ, ତେବେ ପ୍ରବଳ ପବନ, ଅତିପ୍ରବଳ ବର୍ଷା, ସମୁଦ୍ର ଜୁଆର ଏବଂ ବନ୍ୟା ବଡ଼ ବିପଦ ସୃଷ୍ଟି କରିପାରେ ।

ତେବେ ଏବେଠାରୁ ଭୟଭୀତ ହେବାର କାରଣ ନାହିଁ ।  ଇସ୍ରୋ ୩ଟି ବାତ୍ୟା ଓଡ଼ିଶାକୁ ମାଡ଼ ହେବ ବୋଲି କହିନାହିଁ ।  କେଉଁ ବାତ୍ୟା କେଉଁଠି ଯିବ କିମ୍ବା କେଉଁଠି ସ୍ଥଳଭାଗ ଛୁଇଁବ, ତାହାର ମଧ୍ୟ କୌଣସି ପୂର୍ବାନୁମାନ ହୋଇନାହିଁ ।  ଏହା କେବଳ ଆଗାମୀ ବାତ୍ୟା ଋତୁରେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ପାଇଁ ପରିବେଶ ଅଧିକ ଅନୁକୂଳ ରହିପାରେ ବୋଲି ଏକ ଋତୁକାଳୀନ ଆକଳନ।  କୌଣସି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେବା ପରେ ତାହା ବାତ୍ୟାର ରୂପ ନେବ କି ନାହିଁ, କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଯିବ ସେ ସମ୍ପର୍କରେ IMDର ପୂର୍ବାନୁମାନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.