ଜୀ-ସାର୍ଥକରେ ମେଗା ମୁଭି ପ୍ରିମିୟର ‘ଜଗା ପରି ଭାଇ ଜଗତେ ନାହିଁ’ ଆସନ୍ତା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ
ପାରିବାରିକ ମୂଲ୍ୟବୋଧ ଏବଂ ନିଚ୍ଛକ ମନୋରଞ୍ଜନକୁ ନେଇ ସବୁବେଳେ ଭିନ୍ନ ସ୍ୱାଦର କାହାଣୀ ଦର୍ଶକଙ୍କୁ ଭେଟି ଦେଇଆସିଛି ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’। ଏହି କ୍ରମରେ ରାକ୍ଷୀ ପୁର୍ଣିମା ପୂର୍ବରୁ ଦର୍ଶକଙ୍କ ପାଇଁ ଆସନ୍ତା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ଜୀ-ସାର୍ଥକରେ ୱାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ଏକ ହୃଦୟସ୍ପର୍ଶୀ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ଜଗା ପରି ଭାଇ ଜଗତେ ନାହିଁ’।
ପ୍ରଭୁ ଶ୍ରୀକୃଷ୍ଣ ଏବଂ ଦେବୀ ଦ୍ରୌପଦୀଙ୍କ ଅମର ସମ୍ପର୍କରୁ ଅନୁପ୍ରାଣିତ ଏହି ଚଳଚ୍ଚିତ୍ରଟି ଏମିତି ଏକ ବିଶ୍ୱାସକୁ ଆଧାର କରି ନିର୍ମାଣ କରାଯାଇଛି, ଯାହା ପ୍ରମାଣିତ କରେ ଯେ ପ୍ରକୃତ ଭାଇ-ଭଉଣୀ ସମ୍ପର୍କ କେବଳ ରକ୍ତରେ ନୁହେଁ, ବରଂ ନିଚ୍ଛକ ପ୍ରେମ, ବିଶ୍ୱାସ ଏବଂ ତ୍ୟାଗ ଉପରେ ଗଢି ଉଠିଥାଏ।
କାହାଣୀ ଏକ ନିର୍ଭୀକ ଡେଲିଭରୀ ବୟ ‘ଜଗା’ ଏବଂ ‘ବର୍ଣ୍ଣାଳୀ’ଙ୍କୁ କେନ୍ଦ୍ର କରି ଗତିଶୀଳ ହୋଇଛି। ଯେତେବେଳେ ଜଗା ନିଜ ଜୀବନକୁ ବାଜି ଲଗାଇ ବର୍ଣ୍ଣାଳୀକୁ ଏକ ବିପଦରୁ ରକ୍ଷା କରେ, ସେତେବେଳେ କୃତଜ୍ଞତା ସ୍ୱରୂପ ବର୍ଣ୍ଣାଳୀ ତାଙ୍କ ହାତରେ ରାକ୍ଷୀ ବାନ୍ଧେ ଏବଂ ସେଠାରୁ ଏକ ଅତୁଟ ସମ୍ପର୍କର ଜନ୍ମ ହୁଏ। ପରିବାର ପକ୍ଷରୁ ତିରସ୍କାର, କଠିନ ସମୟ ଏବଂ ସ୍ୱାମୀଙ୍କ ଅସୁବିଧା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଗା ହିଁ ବର୍ଣ୍ଣାଳୀର ସବୁଠାରୁ ବଡ଼ ଶକ୍ତି ଏବଂ ରକ୍ଷାକବଚ ସାଜି ଠିଆହୁଏ। ବିଶ୍ୱାସଘାତକତା ଓ ଲୋଭ ବିରୋଧରେ ଉଭୟେ କିପରି ସଂଗ୍ରାମ କରିଛନ୍ତି ଏବଂ ଅଦମ୍ୟ ସାହସ ଓ ଦୟାଭାବ ସହ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଛନ୍ତି, ତାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ।
ଚଳଚ୍ଚିତ୍ରଟିରେ ମୁଖ୍ୟ ଭୂମିକାରେ ଆର. ରଞ୍ଜନ ପଣ୍ଡା, ଭକ୍ତି ପଟ୍ଟନାୟକ, ଉଦିତ ଗୁରୁ ଏବଂ ସୋନାଲିସା ନାୟକ ନଜର ଆସିବେ। ପାରିବାରିକ ଡ୍ରାମା, ଥ୍ରିଲ୍, ଆବେଗ ଏବଂ ରକ୍ଷାବନ୍ଧନର ପବିତ୍ର ବାର୍ତ୍ତା ବହନ କରୁଥିବା ଏହି ସିନେମା ପ୍ରତିଟି ଓଡ଼ିଆ ପରିବାରର ହୃଦୟ ଜିଣିବ ବୋଲି ପ୍ରଯୋଜନା ସଂସ୍ଥା ଦୃଢ଼ ଆଶା ରଖିଛି।
ଚଳଚ୍ଚିତ୍ରକୁ ନେଇ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ରାହୁଲ ରାଓ କହିଛନ୍ତି, “ଜୀ ସାର୍ଥକ ସବୁବେଳେ ଓଡ଼ିଶାର କଳା, ସଂସ୍କୃତି ଓ ପାରିବାରିକ ମୂଲ୍ୟବୋଧକୁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ନାକୁ ଆଣିବାକୁ ନିରନ୍ତର ପ୍ରୟାସ କରିଥାଏ। ‘ଜଗା ପରି ଭାଇ ଜଗତେ ନାହିଁ’ କେବଳ ଏକ ସିନେମା ନୁହେଁ, ବରଂ ଏହା ହେଉଛି ସମ୍ପର୍କର ଏକ ନିଚ୍ଛକ ଚିତ୍ର ଯାହା ଦର୍ଶାଇଥାଏ ଯେ ଜଣେ ଭାଇ ନିଜ ଭଉଣୀ ପାଇଁ କେତେ ତ୍ୟାଗ କରିପାରେ ଓ ପ୍ରକୃତ ସମ୍ପର୍କ ରକ୍ତରୁ ନୁହେଁ ହୃଦୟରୁ ସୃଷ୍ଟି ହୁଏ। ଆମର ଦୃଢ଼ ବିଶ୍ୱାସ ଯେ ଏହି କାହାଣୀ ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ଆପଣମାନେ ନିଜ ସପରିବାର ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ ଏବଂ ଆମକୁ ସବୁଥର ଭଳି ନିଜର ଭଲପାଇବା ଦିଅନ୍ତୁ ।”