ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ, ଭାରତ ସରକାର ପଠାଇବେ ଦୁଇ ପ୍ରତିନିଧି
ନୂଆଦିଲ୍ଲୀ : ଇରାନର ର୍ବୋଚ୍ଚ ନେତା ଆୟାତୁଲ୍ଳା ଅଲ୍ଳୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ । ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ପବିତ୍ରା ମାର୍ଗାରେଟ୍ ସାମିଲ ହେବେ । ଇରାନର ବହୁ ସହରରେ ୪ ରୁ ୯ ଜୁଲାଇ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । ୪ ଏବଂ ୫ ଜୁଲାଇରେ ତେହରାନରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମକୁ ନେଇ ମଧ୍ୟପ୍ରାଚ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।
ଇରାନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାମେନେଇଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା । ଇରାନ ମିଡିଆ ଅନୁସାରେ, ୪ ଓ ୫ ଜୁଲାଇରେ ତେହରାନର ଇମାମ ଖୁମେନି ମୌସାଲା ପ୍ରାର୍ଥନା ହଲରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ କରିବେ । ଏହାପରେ ୬ ଓ ୭ ଜୁଲାଇରେ ରାଜଧାନୀ ତେହରାନ ଓ ମଧ୍ୟ ଇରାନର ବହୁ ସହରରେ ଅନ୍ତିମ ଯାତ୍ରା ବାହାର କରାଯିବ । ଏହାପରେ ୯ ଜୁଲାଇରେ ଉତ୍ତର-ପୂର୍ବ ସହର ମଶହାଦରେ ଅନ୍ତିମ ସଂସ୍କାରର ଶେଷ କାର୍ଯ୍ୟକ୍ରମ ହେବ । ଇରାନ ଷ୍ଟ୍ରପତି ପେଜେସ୍କିଆନଙ୍କ ପକ୍ଷରୁ କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ପ୍ରଭାବଶାଳୀ ଦେଶର ନେତାମାନଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି । ଏହି ତାଲିକାରେ ଚୀନ, ଋଷ, କାତାର, ଫ୍ରାନ୍ସ ଏବଂ ପାକିସ୍ତାନ ଭଳି ଦେଶ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ଇରାନର ସର୍ବୋଚ୍ଚ ନେତା ଥିବା ଖାମେନେଇଙ୍କ ୨୮ ଫେବୃଆରୀରେ ଆମେରିକା ଓ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ମୃତ୍ୟୁ ହୋଇଥିଲା । ମାର୍ଚ୍ଚ ଆରମ୍ଭରୁ ତାଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଇରାନର ନୂଆ ସର୍ବୋଚ୍ଚ ନେତା ଚୟନ କରାଯାଇଥିଲା ।