ଦିବଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ,ପୁରସ୍କାର ଗ୍ରହଣ କଲେ ପତ୍ନୀ ହେମା ମାଳିନୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଦେଶର ବିଭିନ୍ନ କ୍ଷେତ୍ରର ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି ।
ଚଳିତ ବର୍ଷ ସ୍ୱର୍ଗତ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ପତ୍ନୀ ଓ ଅଭିନେତ୍ରୀ ହେମା ମାଳିନୀ ଏହି ସମ୍ମାନ ଗ୍ରହଣ କରିଥିଲେ । ସିନେମା ଜଗତରେ ଧର୍ମେନ୍ଦ୍ରଙ୍କ ଅତୁଳନୀୟ ଅବଦାନ ଓ ସ୍ମୃତିକୁ ମନେ ପକାଇ ସମାରୋହ ସମୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।
ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ପୁରସ୍କାରଗୁଡ଼ିକ ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରାଯାଇଥିଲା । ୨୦୨୬ ପାଇଁ ମୋଟ ୧୩୧ଟି ପଦ୍ମ ପୁରସ୍କାରକୁ ରାଷ୍ଟ୍ରପତି ଅନୁମୋଦନ କରିଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି ।ଚଳିତ ବର୍ଷର ତାଲିକା ଅନୁଯାୟୀ, ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।