ବକ୍ସ ଅଫିସରେ ‘ଦୃଶ୍ୟମ 3’ର ଧମାକା : ପ୍ରଥମ ସପ୍ତାହରେ ୧୫୦ କୋଟି ନିକଟରେ କଲେକ୍ସନ

0

ସାଉଥ ସୁପରଷ୍ଟାର ମୋହନଲାଲ ଏବଂ ନିର୍ଦ୍ଦେଶକ ଜିତୁ ଜୋସେଫଙ୍କ ମାଲାୟଲମ କ୍ରାଇମ୍ ଥ୍ରୀଲର ଫିଲ୍ମ ଦୃଶ୍ୟମ 3 ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରୁଛି । ଫିଲ୍ମଟି ମୁକ୍ତିଲାଭର ପ୍ରଥମ ସପ୍ତାହରେ ଦେଶ ଓ ବିଦେଶରେ ଧମାକେଦାର ଆୟ କରି ୧୫୦ କୋଟି ନିକଟରେ ପହଞ୍ଚିଛି ।

ଟ୍ରେଡ୍ ୱେବସାଇଟ୍ ସାକନିକ୍ ଅନୁଯାୟୀ, ଫିଲ୍ମଟି ରିଲିଜର ଚତୁର୍ଥ ଦିନ ଅର୍ଥାତ୍ ପ୍ରଥମ ରବିବାରରେ ଭାରତରେ ୧୩.୯୫ କୋଟି ଟଙ୍କା ଆୟ କରିଛି । ଏହା ସହ ଫିଲ୍ମର ମୋଟ ଘରୋଇ କଲେକ୍ସନ ୫୪.୫୫ କୋଟି ଟଙ୍କାକୁ ପହଞ୍ଚିଛି । କେରଳରେ ଫିଲ୍ମଟି ସର୍ବାଧିକ ସଫଳତା ପାଇଥିବାବେଳେ କେବଳ ରବିବାର ଦିନ ରାଜ୍ୟରୁ ୯.୭୦ କୋଟି ନିଟ୍ କଲେକ୍ସନ ହୋଇଛି ।

ମାଲାୟଲମ ସଂସ୍କରଣ ୩୧୮୬ଟି ଶୋ’ରୁ ୧୧.୭୫ କୋଟି ଆୟ କରିଥିବାବେଳେ ଅକୁପାନ୍ସି ହାର ୬୯.୩୫ ପ୍ରତିଶତ ରହିଛି । ତେଲୁଗୁ ସଂସ୍କରଣ ୧.୨୦ କୋଟି, ତାମିଲ ସଂସ୍କରଣ ୬୫ ଲକ୍ଷ ଓ କନ୍ନଡ ସଂସ୍କରଣ ୩୫ ଲକ୍ଷ ଟଙ୍କା ଆୟ କରିଛି । ରବିବାର ସମସ୍ତ ଭାଷାରେ ମୋଟ ୫୨୭୦ଟି ଶୋ’ ପ୍ରଦର୍ଶିତ ହୋଇଥିଲା ।

ଫିଲ୍ମଟି ପ୍ରଥମ ଦିନରେ ୧୫.୮୫ କୋଟି ଓ ଦ୍ୱିତୀୟ ଦିନରେ ୧୧.୦୫ କୋଟି ଆୟ କରିଥିଲା । ରବିବାରରେ କଲେକ୍ସନ ବୃଦ୍ଧି ପାଇବା ଫିଲ୍ମର ଲୋକପ୍ରିୟତାକୁ ଆହୁରି ସ୍ପଷ୍ଟ କରିଛି ।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଫିଲ୍ମଟି ଚମତ୍କାର ପ୍ରଦର୍ଶନ କରିଛି । ବିଶ୍ୱସ୍ତରରେ ଫିଲ୍ମର ମୋଟ ଆୟ ୧୪୧.୩୪ କୋଟି ଟଙ୍କା ହୋଇଥିବାବେଳେ ଭାରତରୁ ୬୩.୩୪ କୋଟି ଓ ବିଦେଶରୁ ୭୮ କୋଟି ଟଙ୍କା ଆସିଛି । ଉପସାଗରୀୟ ରାଷ୍ଟ୍ର, ଉତ୍ତର ଆମେରିକା ଓ ୟୁରୋପରେ ମଧ୍ୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳୁଛି ।

ଫିଲ୍ମରେ ମୋହନଲାଲ୍ ପୁଣିଥରେ ଜର୍ଜକୁଟ୍ଟି ଭୂମିକାରେ ନଜର ଆସିଥିବାବେଳେ ସିଦ୍ଦିକ, ମୁରଲୀ ଗୋପୀ, ବିଜୁ ମେନନ୍ ଏବଂ କାଲାଭବାନ୍ ଶାଜୋନଙ୍କ ସହ ମୀନା, ଅନସିବା ହାସନ ଏବଂ ଏଷ୍ଟର ଅନିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.