କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୩୨ ଶ୍ରମିକ ମୃତ
ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣି ଭିତରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ଆହୁରି ୧୦ ଜଣ ଶ୍ରମିକ ଭୂମି ତଳେ ଫସି ରହିଥିବା ଜଣାପଡ଼ିଛି । ଅଧିକାରୀମାନଙ୍କ କହିବା ଅନୁସାରେ, ସେମାନେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ଫସି ରହିଛନ୍ତି ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ସରକାରୀ ଖଣି ନିରୀକ୍ଷକ ଗନି ବାଲୋଚ କହିଛନ୍ତି ଯେ, ଗୁରୁବାର ଘଟିଥିବା ଏହି ବିସ୍ଫୋରଣର କାରଣ ଖଣି ଭିତରେ ମିଥେନ୍ ଗ୍ୟାସ ସଞ୍ଚୟ ହୋଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣଟି ବାଲୋଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟା ସହରର ବାହାର ଅଞ୍ଚଳରେ ଘଟିଥିଲା । ଅଧିକାରୀ ଓ ପ୍ରାନ୍ତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିସ୍ଫୋରଣର କିଛି ଘଣ୍ଟା ପରେ ପ୍ରଥମେ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଉଦ୍ଧାରକାରୀ ଦଳ ଆଉ ୨୫ ଜଣଙ୍କ ମୃତଦେହ ବାହାର କରିଥିଲେ । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଫସିଥିବା ଶ୍ରମିକମାନଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ ଚାଲିଛି।
ଆହୁରି କହିଛନ୍ତି ଯେ, ସମସ୍ତ ଫସିଥିବା ଶ୍ରମିକଙ୍କୁ ଖୋଜି ନ ପାଇବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ବନ୍ଦ ହେବ ନାହିଁ । ଏଥିସହ, ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ମିଥେନ୍ ଗ୍ୟାସ ବିସ୍ଫୋରଣ ପରେ ଖଣି ଭିତରେ ଅମ୍ଳଜାନର ମାତ୍ରା ପ୍ରାୟ ଶୂନ୍ୟକୁ ଖସିଯାଏ । ତେଣୁ କାହାରି ଜୀବିତ ମିଳିବାର ସମ୍ଭାବନା ବହୁତ କମ୍ ଥାଏ । ଏହି କାରଣରୁ ଉଦ୍ଧାରକାରୀ ଦଳ ଅତ୍ୟନ୍ତ ସତର୍କତାର ସହ ଖଣି ଭିତରକୁ ଅଗ୍ରସର ହେଉଛନ୍ତି । ଅଧିକାରୀମାନେ ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକୁ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରୁଥିବା ବେଳେ, ଏବେ ବି ଭିତରେ ଫସିଥିବା ଶ୍ରମିକଙ୍କ ପରିବାର ଲୋକେ ଖବରକୁ ଅପେକ୍ଷା କରିଛନ୍ତି ।
ବାଲୋଚିସ୍ତାନର ଖଣି ଓ ଖଣିଜ ମନ୍ତ୍ରୀ ଶୋଏବ ନୋଶେରୱାନୀ କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ଅତ୍ୟନ୍ତ କଠିନ ପରିସ୍ଥିତିରେ କାମ କରୁଛନ୍ତି । ସେ ମୃତ ଶ୍ରମିକଙ୍କ ପରିବାର ପ୍ରତି ସମବେଦନା ଜଣାଇ କହିଛନ୍ତି ଯେ, ପ୍ରାନ୍ତୀୟ ସରକାର ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଶ୍ରମିକଙ୍କ ପରିବାରକୁ ୫ ଲକ୍ଷ ପାକିସ୍ତାନୀ ଟଙ୍କା (ପ୍ରାୟ ୧,୮୦୦ ଆମେରିକୀୟ ଡଲାର) କ୍ଷତିପୂରଣ ପ୍ରଦାନ କରିବେ। ଏହାସହ ବିସ୍ଫୋରଣର ପ୍ରକୃତ କାରଣର ତଦନ୍ତ କରାଯିବ ଏବଂ ଖଣି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। କୋଇଲା ଖଣି ଶ୍ରମିକ ସଂଘ ଆଶଙ୍କା ପ୍ରକାଶ କରିଛି ଯେ, ଅବହେଳା ଓ ସୁରକ୍ଷା ନିୟମ ଠିକ୍ ଭାବେ ପାଳନ ନ ହେବାରୁ ଏହି ବିସ୍ଫୋରଣ ଘଟିଛି । ପାକିସ୍ତାନ ସେଣ୍ଟ୍ରାଲ ମାଇନ୍ସ ଲେବର ଫେଡେରେସନ୍ ସରକାରଙ୍କୁ ଖଣି ସୁରକ୍ଷା ନିୟମକୁ କଡ଼ାକଡ଼ିରେ କାର୍ଯ୍ୟକାରୀ କରିବା ସହ ସୁରକ୍ଷା ଆଇନ ଉଲ୍ଲଂଘନ କରୁଥିବା କମ୍ପାନୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛି ।