ବଲାଙ୍ଗୀରି : ଆଜି ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ସକାଳ ୯ଟା ୩୬ ମିନିଟରୁ ଦିନ ୧୦ଟା ୧୦ ମିନିଟରେ ମଧ୍ୟରେ ମାଆ ପାଟଣେଶ୍ୱରୀ,ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିହେବ । ପରେ ବଲାଙ୍ଗିର ଜିଲାର ଲୋକେ ନୂଆ ଖାଇବେ ବୋଲି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି । ଏନେଇ ଶୈଳଶ୍ରୀ ପ୍ୟାଲେସରେ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାସଭାର ସଦସ୍ୟଙ୍କୁ ନେଇ ଲଗ୍ନ ସ୍ଥିର କରାଯାଇଛି ।
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।
ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।