ଆମୀରଙ୍କ ପାଇଁ ବଢ଼ିଲା ଅଡୁଆ: ‘ଲାଲ ସିଂ ଚଢ଼ା’ର ରାଇଟ୍ସ କିଣିବା ଚୁକ୍ତି ବାତିଲ କଲା ନେଟଫ୍ଲିକ୍ସ

0

ନୂଆଦିଲ୍ଲୀ(ଆମ ଟିଭି): ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଛି। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଛି ଫିଲ୍ମର ବକ୍ସ ଅଫିସର ଆୟ। ବକ୍ସ ଅଫିସର ଅବସ୍ଥ‌ା ଦେଖି ଓଟିଟିରେ ରିଲିଜ୍ ପାଇଁ ଫିଲ୍ମର ରାଇଟ୍ସ କିଣିବାକୁ ଚୁକ୍ତି କରିଥିବା ନେଟଫ୍ଲିକ୍ସ ଏବେ ଚୁକ୍ତି ବାତିଲ କରିଥିବା ଚର୍ଚ୍ଚା ହେଉଛି। ଗତ କିଛି ବର୍ଷ ହେଲାଣି ଓଟିଟିର ଚାହିଦା ବଢ଼ୁଥିବା ବେଳେ ଫିଲ୍ମକୁ ପ୍ରେକ୍ଷାଳୟରେ ରିଲିଜ କରାଯିବା ପରେ ଓଟିଟିରେ ରିଲିଜ୍ କରାଯାଏ। ଫିଲ୍ମର ଲୋକପ୍ରିୟତା ଦେଖି ଏହାର ରାଇଟ୍ସ କିିଣନ୍ତି ବିଭିନ୍ନ କମ୍ପାନି।

ପ୍ରେକ୍ଷାଳୟରେ ରିଲିଜ ପୂର୍ବରୁ ‘ଲାଲ ସିଂ ଚଢ଼ା’ର ଲୋକପ୍ରିୟତା ଦେଖି ନେଟଫ୍ଲିକ୍ସ ଫିଲ୍ମର ରାଇଟ୍ସ କିଣିବାକୁ ଡିଲ୍ କରିଥିବା ବେଳେ ଏବେ ସେଥିରୁ ପଛକୁ ହଟିଥିବା କୁହାଯାଉଛି। ଚର୍ଚ୍ଚା ହେଉଛି ଯେ, ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବା ପରେ ନେଟଫ୍ଲିକ୍ସ ଆମୀରଙ୍କ ଫିଲ୍ମର ରାଇଟ୍ସ କିଣିବାର ଡିଲକୁ  ବାତିଲ କରିଦେଇଛି। ଆମୀର ଖାନ ଏବଂ ଭାୟାକମ୍ ‘ଲାଲ ସିଂ ଚଢ଼ା’ର ଡିଜିଟାଲ ରାଇଟ୍ସ ପାଇଁ ପ୍ରାୟ ୨୦୦କୋଟି ଟଙ୍କା ଚାହୁଁଥିଲେ। ଏହା ବ୍ୟତୀତ ସେ ଥିଏଟର ଏବଂ ଓଟିଟି ରିଲିଜ୍ ମଧ୍ୟରେ ଅତି କମରେ ତିନିମାସ ବ୍ୟବଧାନ ରଖିବାକୁ ନେଟଫ୍ଲିକ୍ସ ଆଗରେ ଦାବି କରିଥିଲେ। କିନ୍ତୁ ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହେବାରୁ, ନେଟଫ୍ଲିକ୍ସ ଆଉ ‘ଲାଲ ସିଂ ଚଢ଼ା’ ର ରାଇଟ୍ସ କିଣିବାକୁ ଆଗ୍ରହୀ ନୁହଁନ୍ତି ବୋଲି ସାମ୍ନାକୁ ଆସିଛି।

Leave A Reply

Your email address will not be published.