ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ଫୁଲବାଣୀ ମେଡ଼ିକାଲ କଲେଜ

0

ଭୁବନେଶ୍ବର : କନ୍ଧମାଳରେ ପ୍ରତିଷ୍ଠିତ ‘ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀ’କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ କରି ରଖିବା ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଏହା ସହିତ ଜଲେଶପଟ୍ଟାରେ ଥିବା ତାଙ୍କର ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା (ସିଏମ୍‌ଏସ୍‌ଏ) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ୱାମୀଜୀଙ୍କ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଏକ ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ। ୩ କୋଟି ଟଙ୍କା ବିନିଯୋଗରେ ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ଏହା ସହିତ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମ ଛାତ୍ରୀ ନିବାସକୁ ଜଳ ଯୋଗାଣ ପାଇଁ ୬୦ ଲକ୍ଷ ଟଙ୍କାରେ ଏକ ବୃହତ ନଦୀଜଳ ଉଠାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ସହିତ ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସ ପାଇଁ ଅତିରିକ୍ତ ଗୃହ ନିର୍ମାଣ, ପ୍ରାଚୀର ନିର୍ମାଣ, ଶ୍ରେଣୀଗୃହ, ହଷ୍ଟେଲ ବିଲ୍‌ଡିଂର ନବୀକରଣ ଆଦି ପାଇଁ ମଧ୍ୟ ଅର୍ଥର ବ୍ୟବସ୍ଥା କରାଯାଇଛି।

 

କ୍ରାଇମବ୍ରାଞ୍ଚ ଖୋଜିବ ‘ନାଇଡୁ କମିସନ’ ଫାଇଲ

ରାଜ୍ୟର ସବୁଠାରୁ ସୁରକ୍ଷିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗାଏବ ହୋଇଯାଇଥିବା ବହୁଚର୍ଚ୍ଚିତ କନ୍ଧମାଳର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଏବଂ ଏହାର ପରବର୍ତ୍ତୀ ତଦନ୍ତ ପାଇଁ ଗଠିତ ‘ନାଇଡୁ କମିସନ’ଙ୍କ ଫାଇଲ୍ ଏବେ କ୍ରାଇମ୍‌ବ୍ରାଞ୍ଚ ଖୋଜିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ପ୍ରାଥମିକ ଭାବେ ଏହାର ତଦନ୍ତ କମିସନରେଟ୍ ପୁଲିସ କରୁଥିବା ବେଳେ ବର୍ତ୍ତମାନ ଏହାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଗଲା ପରେ ଏବେ ପୂର୍ବ ସରକାରଙ୍କ ସମୟର ବଡ଼ବଡ଼ ପ୍ରଶାସକମାନେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିବାର ସମ୍ଭାବନା ବୃଦ୍ଧି ପାଇଛି। ଏତେ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ରିପୋର୍ଟ କିପରି ସଚିବାଳୟର ସବୁଠାରୁ ସୁରକ୍ଷିତ କୋଠରିରୁ ଗାଏବ ହେଲା, ତାହା ପଛରେ କାହାର ହାତ ଅଛି ଏବଂ ଏହାକୁ ଜାଣିଶୁଣି ଲୁଚାଯାଇଛି କି ନାହିଁ, ତାହାର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ।

୨୦୦୮ ଅଗଷ୍ଟରେ କନ୍ଧମାଳର ଜଳେଶପେଟା ଆଶ୍ରମଠାରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳ ଜିଲା ଏବଂ ରାଜ୍ୟବ୍ୟାପୀ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗା ଓ ହିଂସାକାଣ୍ଡ ଘଟିଥିଲା। ଏହାର ପ୍ରକୃତ କାରଣ, ଷଡ଼ଯନ୍ତ୍ର ଏବଂ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.ଏସ୍. ନାଇଡୁଙ୍କୁ ନେଇ ଏକ ଜୁଡିସିଆଲ୍ କମିସନ ଗଠନ କରିଥିଲେ। କମିସନ ଦୀର୍ଘ ବର୍ଷ ଧରି ତଦନ୍ତ କରିବା ପରେ ପ୍ରାୟ ୨,୦୦୦ ପୃଷ୍ଠା ବିଶିଷ୍ଟ ଦୁଇଖଣ୍ଡର ଏକ ବିସ୍ତୃତ ତଦନ୍ତ ରିପୋର୍ଟ ୨୦୧୬ ସେପ୍ଟେମ୍ବରରେ ସରକାରଙ୍କୁ (ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ସିଏମ୍‌ଓକୁ) ପ୍ରଦାନ କରିଥିଲେ। ଏହି ନ୍ୟାୟିକ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ ନେଇ ବାରମ୍ବାର ଦାବି କରାଯିବା ପରେ ତାହା କରାଗଲା ନାହିଁ କିମ୍ବା ବିଧାନସଭାରେ ଉପସ୍ଥାପନ କରାଯାଇନଥିଲା। କିନ୍ତୁ, ଆଶ୍ଚର୍ଯ୍ୟର କଥା ଯେ ଏଭଳି ଗୁରୁତ୍ଵପୂର୍ଣ୍ଣ ଫାଇଲ କଡ଼ା ସୁରକ୍ଷାବଳୟରେ ଥିବା ସିଏମ୍‌ଓରୁ ଗାଏବ ହେଲା କିପରି, ଏହା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

Leave A Reply

Your email address will not be published.