୧୩ରୁ ଲଘୁଚାପ ବର୍ଷା

0

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୧୩ ତାରିଖରୁ ୪ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୧୨ତାରିଖ ପରେ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥିଯୋଗୁଁ ରାଜ୍ୟର ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଏହାସହ ବାଲେଶ୍ବରଠାରୁ ପୁରୀ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟମଧରଣର ବର୍ଷାର ଆଶଙ୍କା ରହିଛି। ଅପରପକ୍ଷେ, ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଭୁବନେଶ୍ବରରେ ବର୍ଷା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିଥିଲା। ବର୍ଷାରେ ରାଜଧାନୀର ବିଭିନ୍ନ ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଅପରପକ୍ଷେ, ହୀରାକୁଦ

ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଗତକାଲି ୧୦ଟି ଫାଟକ ଖୋଲା ଯାଇଥିବା ବେଳେ ଆଜି ସେଥିମଧ୍ୟରୁ ୨ଟି ବନ୍ଦ କରାଯାଇଛି। ଫଳରେ, ୮ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍‌ ହେବା ପରେ ଗତ ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଜଳସ୍ତର ହ୍ରାସ ପରେ ଶୁକ୍ରବାର ସନ୍ଧ୍ୟା ୬ଟା ୪୫ରେ ୨ଟି ଫାଟକ ବନ୍ଦ କରାଯାଇଛି। ଆଜି ରାତି ୯ଟା ସୁଦ୍ଧା ବାମପଟର ୫ ଓ ଡାହାଣ ପଟର ୩ ଫାଟକରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୩.୨୩ ଫୁଟ୍‌ ରହିଥିଲା। ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୭,୦୭୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାଧ୍ୟମରେ ୧ ଲକ୍ଷ ୫୭ ହଜାର ୩୧୮ ଘନଫୁଟ ଜଳ ନିଷ୍କାସନ ହେଉଛି। ଏଥିମଧ୍ୟରୁ ସ୍ପିଲୱେରେ ୧,୨୮,୬୫୬ କ୍ୟୁସେକ୍‌, ପାୱାର କେନାଲରେ ୨୪,୯୩୫, ବିଭିନ୍ନ କେନାଲରେ ୩,୪୮୦ ଏବଂ କାରଖାନା ବ୍ୟବହାର ପାଇଁ ୨୪୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଶୁକ୍ରବାର ରାତି ୯ଟାରେ କଟକର ମୁଣ୍ଡଳିରେ ୧ ଲକ୍ଷ ୧୬ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଗତ ୨୪ଘଣ୍ଟା ମଧ୍ୟରେ ବନ୍ଧ ଉପରମୁଣ୍ଡରେ ୪.୩୨ ମିମି ଏବଂ ତଳମୁଣ୍ଡରେ ୧.୧୮ ମିମି ବର୍ଷା ରେକର୍ଡ କରାଯାଇଛି।

ହୀରାକୁଦରୁ ଗତକାଲି ନିଷ୍କାସନ ବନ୍ୟାଜଳ ଶୁକ୍ରବାର ରାତିରେ ମୁଣ୍ଡଳିରେ ପହଞ୍ଚିଛି। ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ମୁଣ୍ଡଳିର ଉପର ମୁଣ୍ଡରେ ୭୯/୯୦ ଘନଫୁଟ ଜଳ ପ୍ରବାହିତ ହେଉଥିବା ସମୟର ତଳ ମୁଣ୍ଡରେ ୭୬/୯୦ ଘନ ଫୁଟ ଜଳ ନିଷ୍କାସିତ ହୋଇଛି। ସେହିଭଳି ରାତି ୯ଟା ସୁଦ୍ଧା ଉପର ମୁଣ୍ଡରେ ୮୧/୨୦ ଘନଫୁଟ ଜଳ ପ୍ରବାହିତ ହେଉଥିବା ସମୟରେ ତଳ ମୁଣ୍ଡରେ ୮୯/୯୦ ଘନ ଫୁଟ ଜଳ ନିଷ୍କାସିତ ହୋଇଛି। ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ଏବେ ମୁଣ୍ଡଳି ଦେଇ ସେକେଣ୍ଡ ପିଛା ୧ ଲକ୍ଷ ୯୬ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ତେଣୁ କୌଣସି ବନ୍ୟା ଆଶଙ୍କା ନାହିଁ। ଉପର ମୁଣ୍ଡରେ ବର୍ଷା କମିଛି ଏବଂ ତଳ ମୁଣ୍ଡରେ ମଧ୍ୟ ବର୍ଷା ନାହିଁ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାପାଳଙ୍କ ନିର୍ଦେଶକ୍ରମେ ନଦୀକୂଳ ଓ ବ୍ରିଜ ଉପରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କୁ ମୁଣ୍ଡଳି ଓ ନରାଜ ସମେତ ଯୋବ୍ରା ବ୍ୟାରେଜ ଭିଡ଼ ଜମାଇବା କିମ୍ବା ଫଟୋ ଉଠାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବ୍ୟାରେଜ୍‌ ଉପରେ ପୁଲିସ ସଜାଗ ରହିଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.