ଭୁବନେଶ୍ୱରରେ ତିନି ଦିନିଆ ‘ଟ୍ୟାକ୍ସପେୟାର୍ସ ହବ୍, ୨୦୨୬’ ସଫଳତାର ସହ ଉଦଯାପିତ
ଭୁବନେଶ୍ୱର, ନଭେମ୍ବର ୨୭, ୨୦୨୬: ଆୟକର ବିଭାଗ, ଓଡ଼ିଶା (ଭୁବନେଶ୍ୱର) ପକ୍ଷରୁ ସ୍ଥାନୀୟ ୟୁନିଟ୍-୩ ସ୍ଥିତ ଓଡ଼ିଶା ପ୍ରେସ୍ କ୍ଲବ ପରିସରରେ ଆୟୋଜିତ ତିନି ଦିନିଆ କରଦାତା ସଚେତନତା କାର୍ଯ୍ୟକ୍ରମ ‘ଟ୍ୟାକ୍ସପେୟାର୍ସ ହବ୍, ୨୦୨୬’ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, କରଦାତା, ବିଭିନ୍ନ ବୃତ୍ତିଧାରୀ ଏବଂ ସାଧାରଣ ନାଗରିକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ଉଦଯାପନୀ ସମାରୋହରେ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ORERA), ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଟିଭି ଲିମିଟେଡ୍ (OTV Ltd.) ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜଗି ମଙ୍ଗତ ପଣ୍ଡା ଏବଂ ବିଶିଷ୍ଟ ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଚଳଚ୍ଚିତ୍ର ଓ ସମାଜ ପ୍ରତି ସାମଗ୍ରିକ ଅବଦାନ ତଥା ଏନଏଫଡିସି (NFDC) ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ର ‘ବାଘିନୀ’ (Baaghini) ପାଇଁ ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ରେ ସମ୍ମାନିତ ହୋଇଥିବାରୁ ଆୟକର ବିଭାଗ ପକ୍ଷରୁ ଶ୍ରୀ ସବ୍ୟସାଚୀ ମିଶ୍ର ଏବଂ ଶ୍ରୀମତୀ ଅର୍ଚ୍ଚିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ପୂର୍ବରୁ, ଦିନର ପ୍ରଥମ ଭାଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକସ ସଚେତନତା ଏବଂ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚିତ୍ରାଙ୍କନ, ତର୍କ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା ସହିତ ମ୍ୟାଜିକ୍ ଶୋ ଏବଂ ସାମାଜିକ ବାର୍ତ୍ତା ବହନ କରୁଥିବା ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ମଧ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ବିଜେତା ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ‘ଜୟ ରାମ’ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।
ତିନି ଦିନ ଧରି (ନଭେମ୍ବର ୨୫–୨୭, ୨୦୨୬) ଚାଲିଥିବା ଏହି ‘ଟ୍ୟାକ୍ସପେୟାର୍ସ ହବ୍, ୨୦୨୬’ କାର୍ଯ୍ୟକ୍ରମରେ ବରିଷ୍ଠ ଟିକସ ପ୍ରଶାସକ, ବିଷୟ ବିଶେଷଜ୍ଞ, ୩୦୦ରୁ ଅଧିକ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ, ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତା ଏବଂ କରଦାତାମାନେ ଏକତ୍ରିତ ହୋଇଥିଲେ। ଏଥିରେ ଟିକସ ଛାଡ଼ (Exemptions), ଫାଷ୍ଟ-ଡିଏସ୍ (FAST-DS), ଟିଡିଏସ୍ (TDS) ଏବଂ ଷ୍ଟାର୍ଟ-ଅପ୍ (Start-ups) ସମ୍ପର୍କିତ ବୈଷୟିକ ଆଲୋଚନାଚକ୍ର ସହିତ କରଦାତା ସେବା ଓ ସୂଚନା କିଓସ୍କ (Information Kiosks) ମଧ୍ୟ ଖୋଲାଯାଇଥିଲା। ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ଏବଂ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମଟି ଉଦଯାପିତ ହୋଇଥିଲା, ଯାହା ସ୍ୱଚ୍ଛ, ସୁଗମ ଏବଂ ନାଗରିକ-ଅନୁକୂଳ ଟିକସ ପ୍ରଶାସନ ପ୍ରତି ଆୟକର ବିଭାଗର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରି