ଗୋଟାଏ ଟିମରେ ଶାହା ଓ ଅଧୀର ରଞ୍ଜନ
ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବିଚାର କରିବାକୁ ୮ ଜଣିଆ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ କମିଟିର ସଦସ୍ୟ ଭାବେ ଆଉ ୭ ଜଣଙ୍କୁ ସାମିଲ କରାଯାଇଛି।
ଏମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ରହିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ କମିଟିରେ ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସି କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି।
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସଂପର୍କିତ ସମସ୍ତ ଦିଗକୁ ଯାଞ୍ଚ କରି କମିଟି ସରକାରଙ୍କୁ ରିପୋର୍ଟ ଦେବ। କିମିଟିର ମୁଖ୍ୟ ଭାବେ ରାମନାଥ କୋବିନ୍ଦ କାର୍ଯ୍ୟ କରିବେ।
ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ନେଇ କମିଟି ଗଠନ କରାଯାଇଛି। ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ ହୋଇପାରେ।