ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର “ଅଦୃଶ୍ୟ”, ସସ୍ପେନ୍ସ, ଥ୍ରୀଲର ଦେଖି ଦର୍ଶକଙ୍କର ପ୍ରଶଂସା

0

ଭୁବନେଶ୍ୱର (ଆମ ଟିଭି); ମାଆ ଗାୟତ୍ରୀ ଫିଲ୍ମ୍ସ ପ୍ରସ୍ତୁତ ସସ୍ପେନ୍ସ ତଥା ଥ୍ରୀଲର ତଥା କମେଡିରେ ଭରା ନୂଆ ଓଡିଆ ଚଳଚ୍ଚିତ୍ର “ଅଦୃଶ୍ୟ” ରିଲିଜ୍ ହୋଇଛି l ରିଲିଜ୍ ଅବସରରେ ପ୍ରେକ୍ଷାଳୟରେ ପ୍ରଯୋଜକ ସୁନନ୍ଦା ସାହୁ, ରାଜେଶ ଅଗ୍ରୱାଲ, ନିର୍ଦ୍ଦେଶକ ସତ୍ୟ ନାରାୟଣ ସାହୁ, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ମୁଖ୍ୟ ପ୍ରଣୟ ଜେଠୀ, ନାୟିକା ଲିପ୍ସା ମିଶ୍ର, ଅଭିନେତା ଜୀବନ ପଣ୍ଡା, ଅନନ୍ତ ମିଶ୍ର, ଅରବିନ୍ଦ ଜେନା, ପ୍ରଦୀପ ଦେବତା, କୁସୁମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

“ଅଦୃଶ୍ୟ” ର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସତ୍ୟ ନାରାୟଣ ସାହୁ l ପ୍ରଯୋଜନା କରିଛନ୍ତି ସୁନନ୍ଦା ସାହୁ ଏବଂ ରାଜେଶ ଅଗ୍ରୱାଲ l ଚିତ୍ରତ୍ତୋଳନ ଏସ ରଞ୍ଜନ ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର ଏବଂ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସ୍ୱୟଂ ପାଢ଼ୀ ଓ ସତ୍ୟଜିତ ପ୍ରଧାନ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ l ମୁଖ୍ୟ ଚରିତ୍ରରେ ଓଡିଶାର ଅନେକ ଅଭିଜ୍ଞ ଅଭିନେତା, ଅଭିନେତ୍ରୀ ଅଭିନୟ କରିଛନ୍ତି l ଅଭିଷେକ ଗିରି, ସାୟଲ ମୁଖାର୍ଜୀ, ଲିପ୍ସା ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ଅନନ୍ତ ମିଶ୍ର, ନୀଳମଣି ସାହୁ ପ୍ରମୁଖ ଅଭିନୟ କରିଛନ୍ତି l

ତେବେ ଅଦୃଶ୍ୟର କାହାଣୀ ଏପରି; ସାତ ଜଣ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତି ଏକ ଟ୍ରାଭେଲ ଏଜେନ୍‌ସି ଜରିଆରେ ଦାରିଙ୍ଗବାଡ଼ି ଯାଉଛନ୍ତି ବଣଭୋଜି ପାଇଁ, ଫେରିବା ବାଟରେ ଗାଡ଼ି ଖରାପ ହେଉଛି ଓ ସମସ୍ତେ ଗୋଟିଏ ଅଦିବାସୀ ହଷ୍ଟେଲରେ ରହିଛନ୍ତି ରାତିକ ପାଇଁ । ସକାଳେ ଡ୍ରାଇଭର ଗାଡ଼ି ସଜାଡ଼ିବା ପାଇଁ ୧୫ କିଲୋମିଟର ଦୂରରେ ଥିବା ଏକ ଗାଁକୁ ନେଇ ଯାଉଛି । ଖବର ପହଞ୍ଚୁଛି ମାଓବାଦୀମାନେ ଗାଁର ଉଭୟ ପାର୍ଶ୍ବରେ ରାସ୍ତା ଅବରୋଧ କରି ଏକ ମିଲିଟାରୀ ଭ୍ୟାନକୁ ଟାର୍ଗେଟ କରି ଅପେକ୍ଷା କରିଛନ୍ତି । ସମସ୍ତେ ବାଧ୍ୟ ହୋଇ ଆଉ କିଛି ଦିନ ସେଠାରେ ଅଟକି ଯାଉଛନ୍ତି। ଏଭଳି ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣ ଜଣ କରି କୌଣସି ଅଜଣା ଆତତାୟୀ ଦ୍ବାରା ମରିବାରେ ଲାଗିଛନ୍ତି । ଜଣେ ମଲା ପରେ ସମସ୍ତେ ଯାହାଙ୍କୁ ହତ୍ୟାକାରୀ ବୋଲି ସନ୍ଦେହ କରୁଛନ୍ତି, ସେ ହିଁ ହେଉଛି ପରବର୍ତ୍ତୀ ଟାର୍ଗେଟ। ନାୟକ, ନାୟିକାଙ୍କୁ ଛାଡ଼ି ଜଣ ଜଣ କରି ଅନ୍ୟମାନେ ମୃତ୍ୟୁମୁଖରେ ପଡୁଛନ୍ତି । ଶେଷରେ ନାୟକ ନାୟିକା ରହସ୍ୟର ଉନ୍ମୋଚନ କରୁଛନ୍ତି ଓ ଜଣାପଡୁଛି ଘାତକ କୌଣସି ମଣିଷ ନୁହେଁ । ସେ ପ୍ରତିଶୋଧ ପରାୟଣ ହୋଇ ଏସବୁ କରୁଛି । ତେବେ କିଏ ସେ ଅଦୃଶ୍ୟ ଆତତାୟୀ ? କ’ଣ ହେଇପାରେ ଏସବୁ ବୀଭତ୍ସ ହତ୍ୟା ପଛର କାରଣ ?

ରହସ୍ୟ, ରୋମାଞ୍ଚକର, ସସ୍ପେନ୍ସ, କମେଡିରେ ଭରପୁର ଏ ଚଳଚ୍ଚିତ୍ର ‘ଅଦୃଶ୍ୟ’ ର ପ୍ରଚାର ଓ ପ୍ରସାର ଦାୟିତ୍ବରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l

Leave A Reply

Your email address will not be published.