ପାକିସ୍ତାନରେ ପ୍ରେସ୍‌ ସ୍ବାଧୀନତା ନାହିଁ: ଭାନ୍ସ

0

ଆମେରିକା-ଇରାନ ଶାନ୍ତି ଚୁକ୍ତିକୁ ନେଇ ପାକିସ୍ତାନକୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି। ଇରାନ ସହିତ ଆମେରିକାର ଶାନ୍ତି ଚୁକ୍ତି ପାଇଁ ହୋଇଥିବା ବୁଝାମଣାର ସର୍ତ୍ତାବଳୀ ପ୍ରକାଶ କରିବାରେ ବିଳମ୍ବକୁ ନେଇ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି। ପାକିସ୍ତାନ ଓ କତରରେ ପ୍ରେସ୍‌ ସ୍ବାଧୀନତା ନଥିବାରୁ ଆମେରିକା ବୁଝାମଣାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବାରେ ବିଳମ୍ବ ହୋଇଥିଲା ବୋଲି ଭାନ୍ସ କହିଛନ୍ତି।

ଏକ ପଡକାଷ୍ଟରେ ଆମେରିକାର ଉପ-ରାଷ୍ଟ୍ରପତି ଭାନ୍ସ କହିଛନ୍ତି ଯେ, ଇରାନ ସହିତ ହୋଇଥିବା ବୁଝାମଣାପତ୍ରର ବିବରଣୀ ପ୍ରକାଶ କରିବାରେ ବିଳମ୍ବ ଆଂଶିକ ଭାବରେ ପାକିସ୍ତାନରେ ପ୍ରେସ୍ ସ୍ୱାଧୀନତା ମାନଦଣ୍ଡ ଯୋଗୁଁ ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ୍ ୧୫ ରେ ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ଘୋଷଣା କରିଥିବାବେଳେ ବୁଝାମଣାପତ୍ରର ଆଧିକାରିକ ସର୍ତ୍ତାବଳୀ ଦୁଇ ଦିନ ପରେ ପ୍ରକାଶିତ ହୋଇଥିଲା। ପଡକାଷ୍ଟ ‘ଇଣ୍ଟରେଷ୍ଟିଂ ଟାଇମ୍ସ ୱିଥ୍‌ ରସ୍ ଡୌଥାଟ୍‌’କୁ ଭାନ୍ସ କହିଛନ୍ତି, ସ୍ୱଚ୍ଛତା ଉପରେ ଚିନ୍ତା ଥିବାରୁ ୱାସିଂଟନ ବିବରଣୀ ପ୍ରକାଶ କରିବାକୁ ସମୟ ନେଇଥିଲା। ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନ ସରକାରଙ୍କୁ ଏପରି ଆଇନ ତିଆରି କରିବାକୁ ନିଷେଧ କରେ ଯାହା ବାକ୍ ସ୍ୱାଧୀନତା, ପ୍ରେସ୍ ଓ ଧାର୍ମିକ ସ୍ବାଧୀନତାକୁ କ୍ଷୁଣ୍ଣ କରେ। ପାକିସ୍ତାନରେ ଏପରି ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ନାହିଁ। ଡେମୋକ୍ରାଟମାନଙ୍କ ବିରୋଧ ଓ ସମାଲୋଚନା ପରେ

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ହୋଇଥିବା ଚୁକ୍ତିନାମାର ପୂର୍ଣ୍ଣ ବିବରଣୀ ବୁଧବାର ପ୍ରକାଶିତ ହୋଇଥିଲା। ସମାଲୋଚକମାନେ ଏହା ମଧ୍ୟ ଅନୁମାନ କରିଥିଲେ ଯେ, ଆମେରିକା ବୁଝାମଣାପତ୍ରର ବିବରଣୀକୁ ଲୁଚାଇ ରଖିଛି କାରଣ ଯୁଦ୍ଧ ସମାପ୍ତ କରିବାକୁ ଚୁକ୍ତିନାମାରେ ଇରାନକୁ ଗୁରୁତ୍ୱପୂର୍ଣ୍ଣ ରିହାତି ଦିଆଯାଇପାରେ। କାରଣ ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବ ଯୋଗୁଁ ବିଶ୍ୱବ୍ୟାପୀ ତୈଳ ସଙ୍କଟ ସୃଷ୍ଟି ହୋଇଥିଲା। ତେବେ ଭାନ୍ସଙ୍କ ମନ୍ତବ୍ୟ ପାକିସ୍ତାନକୁ ଲଜ୍ଜିତ କରିଛି। ଭାନ୍ସଙ୍କ ମନ୍ତବ୍ୟ ପାକିସ୍ତାନରେ ବାକ୍‌ ସ୍ବାଧୀନତା ଓ ପ୍ରେସ୍‌ ସ୍ବାଧୀନତା ଉପରେ ରହିଥିବା ପ୍ରତିବନ୍ଧକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ପାକିସ୍ତାନ ୧୮୦ ଦେଶମାନଙ୍କ ମଧ୍ୟରେ ୧୫୩ ତମ ସ୍ଥାନରେ ରହିଛି। ଦଶନ୍ଧି ଧରି ପାକିସ୍ତାନ ସାମ୍ବାଦିକମାନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ସ୍ଥାନ ହୋଇ ରହିଛି। ପାକିସ୍ତାନ ଆମେରିକା-ଇରାନ ଚୁକ୍ତିକୁ ନିଜର ବଡ଼ କୂଟନୈତିକ ସଫଳତା ବୋଲି ଦାବି କରୁଥିଲେ ମଧ୍ୟ ଇସଲାମାବାଦକୁ ବିଭିନ୍ନ ସମୟରେ ଲଜ୍ଜିତ ହେବାକୁ ପଡ଼ିଛି।

Leave A Reply

Your email address will not be published.