ନୂଆଦିଲ୍ଲୀ: ମୁସଲିମ୍ ଲିଗ୍ ଜାମ୍ମୁ-କାଶ୍ମୀରକୁ ବ୍ୟାନ୍ କଲେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ସରକାର ମୁସଲିମ ଲିଗ୍ ଜାମ୍ମୁ-କାଶ୍ମୀର ମସରତ୍ ଆଲାମ ଦଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ସଂଗଠନ ବିରୋଧରେ ଅଭିଯୋଗ ହୋଇଛି ଯେ, ଏହାର ସଦସ୍ୟମାନେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପରେ ଜଡିତ ଥିଲେ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଏହି ସଂଗଠନ ଏବଂ ଏହାର ସଦସ୍ୟମାନେ ଜାମ୍ମୁ-କାଶ୍ମୀରରେ ଜାତୀୟ ବିରୋଧୀ ତଥା ବିଚ୍ଛିନ୍ନତାବାଦୀ କାର୍ୟ୍ୟକଳାପରେ ଜଡିତ ଅଛନ୍ତି, ଆତଙ୍କବାଦୀ କାର୍ୟ୍ୟକଳାପକୁ ସମର୍ଥନ କରୁଛନ୍ତି ଏବଂ ଜାମ୍ମୁ-କାଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି। ”
ଗୃହମନ୍ତ୍ରୀ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବାର୍ତ୍ତା ଉଚ୍ଚ ସ୍ୱର ଏବଂ ସ୍ପଷ୍ଟ ଯେ ଆମ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କାର୍ୟ୍ୟ କରୁଥିବା ଯେ କେହି ରକ୍ଷା ପାଇବ ନାହିଁ ଏବଂ ଆଇନର ସମ୍ପୂର୍ଣ୍ଣ କ୍ରୋଧର ସମ୍ମୁଖୀନ ହେବେ।”