ଯାଜପୁର (ଆମ ଟିଭି): ୧୬ ନମ୍ବର ଜାତୀୟ ରାଜପଥରେ ଭୁଷୁଡ଼ିଛି ବ୍ରିଜ୍ । ଯାଜପୁର ରସୁଲପୁର ଛକ ନିକଟରେ ଏହି ଅଘଟଣ ଘଟିଛି । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନେଇ ସାଧରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଠିକାଦାର ମାନଙ୍କୁ ଦାୟୀ କରି ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଯଦି କୌଣସି ଅଘଟଣ ଘଟି ଥାଆନ୍ତା ତାହେଲେ ଏଥିପାଇଁ କିଏ ଦାୟୀ ହୋଇଥାଆନ୍ତା ବୋଲି ଲୋକେ କହିଛନ୍ତି ।
ପୋଲଟି ୭ରୁ ୮ଫୁଟ୍ ତଳକୁ ଦବିଯାଇଛି । ଗୋଟିଏ ପଟେ ଏବେ ଉଭୟ ପଟର ଗାଡ଼ି ଯାଆସ୍ କରୁଛନ୍ତି । ଫଳରେ ଜାତୀୟ ରାଜପଥରେ ପ୍ରବଳ ଜାମ ହୋଇଛି । ବ୍ରିଜ୍ ଭୁଶୁଡ଼ିବାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା । ବ୍ରିଜରେ ନିର୍ମାଣଗତ ତ୍ରୁଟି ରହିଥିବା ସେ କହିଛନ୍ତି ।