ପୂଜକ ପ୍ରଶାସନ କଳିରେ ଧବଳେଶ୍ଵରଙ୍କ ଦର୍ଶନରୁ ବଂଚିତ ହେଲେ ଭକ୍ତ
ଆଜି ହେଉଛି ମହା କାର୍ତ୍ତିକର ଦ୍ୱିତୀୟ ପଞ୍ଚକ। କେତେ ଆଶା ଓ ବିଶ୍ୱାସ ନେଇ ଧାଇଁ ଯାଇଥିଲେ ଶ୍ରଦ୍ଧାଳୁ। ଭାବିଥିଲେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ହେଲେ ବାବାଙ୍କ ଦର୍ଶନ କରିପାରିଲେ ନାହିଁ ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ଓ ପ୍ରଶାସନ ବିବାଦ ଯୋଗୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିଲେନି ଶ୍ରଦ୍ଧାଳୁ ।
ଆଜି ହେଉଛି ମହା କାର୍ତ୍ତିକ ମାସର ଦ୍ଵିତୀୟ ପଞ୍ଚକ। ରାତି ୩ଟାରୁ ପ୍ରଭୁ ଧବଳେଶ୍ୱରଙ୍କର ସମସ୍ତ ନୀତିକନ୍ତି ସରିଥିଲା। ତା’ପରେ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯାଇଥିଲା। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବହୁ ଉତ୍ସାହର ସହ ଦର୍ଶନ କରୁଥିଲେ। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବାବାଙ୍କୁ ଦର୍ଶନ କରୁଥିଲେ। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଂକ୍ରିଟ୍ ବ୍ରିଜଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଥିଲା।
ତେବେ ମନ୍ଦିର ପ୍ରଶାସନ କରିଥିବା ବ୍ୟାରିକେଡ୍କୁ ପୂଜକ ସମିତି ବିରୋଧ କରିଥିଲା। ଯାହାଫଳରେ ପ୍ରଶାସନ ଓ ପୂଜକ ସମିତି ମୁହାଁମୁହିଁ ହୋଇଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଆଠଗଡ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍ପି ପୂଜକମାନଙ୍କ ସହ ଆଲୋଚନା କରିଥିଲେ। ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନଥିଲା। ସକାଳ ୧୦ଟାରୁ ପୂଜକମାନେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ। ଏଥିସହ ପୂଜକମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ବର୍ତ୍ତମାନ ସୁଦ୍ଧା ବସିଛନ୍ତି।