ଉତ୍କଳମଣିଙ୍କ ଜନ୍ମପୀଠରେ ଓଡ଼ିଶା ଦିବସ ପାଳିତ: ବିକାଶ ପାଇଁ ୫୮୫ କୋଟିର ପ୍ରକଳ୍ପ ଘୋଷଣା
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ୯୧ତମ ଓଡ଼ିଶା ଦିବସ (୨୦୨୬) ରାଜ୍ୟସ୍ତରୀୟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୫୮୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି, ଯେଉଁଥିରେ ସତ୍ୟବାଦୀର ପୁନର୍ବିକାଶ ପାଇଁ ୪୯୫ କୋଟି ଓ ବକୁଳବନର ପୁନରୁଦ୍ଧାର ପାଇଁ ୯୦ କୋଟି ଟଙ୍କା ବ୍ୟୟ କରାଯିବ ।
ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ଏଠାରେ ‘World Tourism Centre’, କ୍ରୁଜ୍ ଟର୍ମିନାଲ୍, ୧୦୦୦ କୋଟିରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ୧୫୦୦ ଏକର ପରିମିତ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାସହ ବ୍ରହ୍ମପୁର-ଜୟପୁର ସଡ଼କ, ନମୋ ଏକ୍ସପ୍ରେସ୍ ୱେ ଏବଂ ୯୬୯ କିମି ଦୀର୍ଘ ଅଟଳ ଏକ୍ସପ୍ରେସ୍ ୱେ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ମହିଳାଙ୍କ ଉଚ୍ଚଶିକ୍ଷା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଘୋଷଣା କରାଯାଇଛି, ଯେଉଁଥିରେ କନ୍ୟା ସନ୍ତାନଙ୍କୁ ଗ୍ରାଜୁଏଟ୍ ହେବା ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ୫ଟି ନୂଆ ଆୟୁଷ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ୨୦୪୭ ସୁଦ୍ଧା ଓଡ଼ିଶାକୁ ୧୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ଓଡ଼ିଶା ପୁଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।