କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ସୁପ୍ରିମ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

0

ନୂଆଦିଲ୍ଲୀ : କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ସୁପ୍ରିମକୋର୍ଟ ପଓ୍ୱନଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କୋର୍ଟ ତାଙ୍କୁ ଆଗୁଆ ଜାମି ପ୍ରଦାନ କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।  ଆସାମ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଖେଡାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

କୋର୍ଟ କହିଛନ୍ତି ଯେ, କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତା ସମ୍ବିଧାନର ଅନୁଚ୍ଛେଦ ୨୧ ଦ୍ୱାରା ସୁରକ୍ଷିତ ରହିଛି । ତେଣୁ ବ୍ୟକ୍ତିଙ୍କୁ ଅତି ସହଜରେ ବିପଦରେ ପକାଇ ହେବ ନାହିଁ । ତେଣୁ କ୍ରାଇମବ୍ରାଞ୍ଚ୍ ପୋଲିସ ଷ୍ଟେସନ୍ ଦ୍ୱାରା କେସ୍ ନମ୍ବର ୦୪-୨୦୨୬ରେ ପଓ୍ୱନଙ୍କୁ ଗିରଫ କରାଯାଇ ପାରିବ ନାହିଁ । କୋର୍ଟ୍ ତାଙ୍କୁ ଆଗୁଆ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ତେବେ ଆଗୁଆ ଜାମିନ୍ ପ୍ରଦାନ ହୋଇଥିଲେ ବି କିଛି ସର୍ତ୍ତ ରଖିଛନ୍ତି କୋର୍ଟ୍ । କୋର୍ଟଙ୍କ ସର୍ତ୍ତ ଅନୁସାରେ, ପଓ୍ୱନ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ । ପୋଲିସ ଷ୍ଟେସନ ଡକାଗଲେ ଉପସ୍ଥିତ ରହିବାକୁ ପଡିବ । କୌଣସି ପ୍ରମାଣ ନଷ୍ଟ କରିବେନି । ଏହାସହ କୋର୍ଟଙ୍କ ବିନା ଆଦେଶରେ ପଓ୍ୱନ ଦେଶ ଛାଡି ଯିବେ ନାହିଁ ବୋଲି ଖଣ୍ଡପୀଠ ସର୍ତ୍ତ ରଖିଛନ୍ତି ।

ଗତ ଏପ୍ରିଲ ୩୦ ତାରିଖରେ ହୋଇଥିବା ଶୁଣାଣି ପରେ ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ । ଶେଷରେ କୋର୍ଟ୍ ଖେଡାଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଉଭୟ ପକ୍ଷ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଲଗାଇଥିଲେ । କିନ୍ତୁ କାହାରି ସ୍ୱାଧୀନତା ସହ ତଞ୍ଚକତା କରାଯାଇ ପାରିବ ନାହିଁ । ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀଙ୍କର ଏକାଧିକ ପାସପୋର୍ଟ ଥିବା ପଓ୍ୱନ ଅଭିଯୋଗ କରିଥିଲେ । ଏପରିକି ତାଙ୍କର ବିଦେଶରେ ସମ୍ପତ୍ତି ଥିବା ପଓ୍ୱନ କହିଥିଲେ ।

Leave A Reply

Your email address will not be published.