ଭୁବନେଶ୍ୱର : ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ ! । ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ, କହିଲା “ଆଉ ଆଲୋଚନା ହେବନାହିଁ” । ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା ବିବାଦ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଇସ୍କନ ନିଜ ଜିଦ୍ ରେ ଅଟଳ ରହିଛି । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଭାବାବେଗଭରା ଅନୁରୋଧକୁ ଇସ୍କନ କର୍ତ୍ତୃପକ୍ଷ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଗତ ୧୯ ଅକ୍ଟୋବର ୨୦୨୫ରେ ଇସ୍କନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ‘GBC’ ଏକ ନିଷ୍ପତ୍ତି ନେଇଥିଲା ଯେ, ଭାରତ ବାହାରେ ବିଭିନ୍ନ ଦେଶରେ ବର୍ଷସାରା ଯେକୌଣସି ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରାଯାଇପାରିବ । ଶାସ୍ତ୍ର ଓ ପରମ୍ପରା ବିରୋଧୀ ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଗତ ୪ ଜୁଲାଇ ୨୦୨୬ରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଇସ୍କନ GBC ଅଧ୍ୟକ୍ଷ ଶ୍ରୀ ମଧୁସେବିତ ଦାସଙ୍କୁ ଏକ ଇମେଲ୍ ଯୋଗେ ଅନୁରୋଧ କରିଥିଲେ । ଗଜପତିଙ୍କ ଏହି ଅପିଲ୍ ର ଜବାବରେ ୭ ଜୁଲାଇ ୨୦୨୬ରେ ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଏକ ଇମେଲ୍ ପଠାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଗଜପତିଙ୍କ ଅନୁରୋଧକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହ ଅତ୍ୟନ୍ତ କଠୋର ଶବ୍ଦରେ ଲେଖିଛନ୍ତି । ଏହି ବିଷୟରେ ଆମର ଆଉ କିଛି ଅଧିକ କହିବାର ନାହିଁ, ଏବଂ ସେଥିପାଇଁ ଆମେ ସମ୍ମାନର ସହ ଆଲୋଚନାରୁ ସଦାସର୍ବଦା ପାଇଁ ଓହରି ଯାଉଛୁ । ଇସ୍କନର ଏଭଳି ରୁକ୍ଷ ଏବଂ ନକାରାତ୍ମକ ମନୋଭାବ ଜଗନ୍ନାଥ ପ୍ରେମୀ ତଥା ସନାତନ ସଂସ୍କୃତିର ବିଶ୍ୱାସୀମାନଙ୍କୁ ଗଭୀର ଆଘାତ ଦେଇଛି । ପରମ୍ପରାକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଆଲୋଚନାର ଦ୍ୱାର ସବୁ ଦିନ ପାଇଁ ବନ୍ଦ କରିଦେବା ଇସ୍କନର non-cooperative ମାନସିକତାକୁ ଦର୍ଶାଉଛି ।