ଖୋର୍ଦ୍ଧା: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ। ଯାନ୍ତ୍ରିକ ତ୍ରୁଟି କାରଣରୁ ୧ ଘଣ୍ଟା ଧରି ଅଟକି ରହିଥିଲା ଲଞ୍ଚ। ୫୦ରୁ ଅଧିକ ଯାତ୍ରୀ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ ଯାଉଥିଲା ଉକ୍ତ ଲଞ୍ଚ। ପବନର ବେଗ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନଥିଲା। ଉଦବେଗଜନକ ଦୃଶ୍ୟ ଦେଖି ସମସ୍ତେ ଭୟଭୀତ ହୋଇପଡିଥିଲେ। ଅନେକ ପ୍ରୟାସ ପରେ ଶେଷରେ ତିନୋଟି ଡଙ୍ଗା ମିଶି ଯାତ୍ରୀବାହୀ ଲଞ୍ଚକୁ ଟାଣି ଟାଣି କୂଳକୁ ଆଣାଗଲା।
ସୂଚନା ଅନୁସାରେ, ବାଲୁଗାଁରୁ କୃଷ୍ଣପ୍ରସାଦଗଡ଼ ଜେଟି ଅଭିମୁଖେ ଯାଉଥିବା ଏହି ଯାତ୍ରୀବାହୀ ଲଞ୍ଚଟି ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାର ମଝିରେ ଅଚଳ ହୋଇପଡ଼ିଥିଲା । ଫଳରେ ଲଞ୍ଚରେ ଥିବା ୫୦ରୁ ଅଧିକ ଯାତ୍ରୀ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ପାଣି ମଝିରେ ଫସି ରହିଥିଲେ । ଲଞ୍ଚରେ ଯାତ୍ରୀଙ୍କ ସହ ଅନେକ ବାଇକ୍ ମଧ୍ୟ ରହିଥିଲା ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ତିନୋଟି ଡଙ୍ଗା ନେଇ ଚିଲିକା ମଝିକୁ ପହଞ୍ଚିଥିଲେ । ବହୁ ପରିଶ୍ରମ ପରେ ଲଞ୍ଚଟିକୁ ଟାଣି ଟାଣି ସୁରକ୍ଷିତ ଭାବେ ଘାଟ ନିକଟକୁ ଆଣିବାରେ ସଫଳ ହୋଇଥିଲେ । ଦୀର୍ଘ ସମୟର ଉଦ୍ବେଗ ଓ କସରତ ପରେ ଶେଷରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ କୌଣସି ଜୀବନହାନି କିମ୍ବା ଅନ୍ୟ କ୍ଷତି ଘଟିନଥିବା ସୂଚନା ମିଳିଛି । ଏହି ଘଟଣା ପୁଣିଥରେ ଚିଲିକାରେ ଚଳାଚଳ କରୁଥିବା ଜଳଯାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।