ଜୀ ସାର୍ଥକରେ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ସାର୍’ର ୱାର୍ଲ୍ଡ ଟିଭି ପ୍ରିମିୟର୍ ଆସନ୍ତା ୬ ତାରିଖରେ
ଗୁରୁ ଏବଂ ଶିଷ୍ୟର ଅତୁଟ ସମ୍ପର୍କ ତଥା ଏକ ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଛବି ‘ସାର୍’ର ୱାର୍ଲ୍ଡ ଟିଭି ପ୍ରିମିୟର୍ ଆସନ୍ତା ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ ଜୀ ସାର୍ଥକରେ ପ୍ରଦର୍ଶିତ ହେବ। ଗତବର୍ଷ ନଭେମ୍ବର ୧୪ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଥିବା ଏହି ସିନେମାଟି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା।
ଏହି ଚଳଚ୍ଚିତ୍ରରେ ଆଦର୍ଶ ଶିକ୍ଷକ ଅଗନି ମହାନ୍ତି ଏବଂ ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ଥିବା ନିସ୍ୱାର୍ଥପର ସମ୍ପର୍କର କାହାଣୀ ଦର୍ଶାଯାଇଛି। ନିଜ ଛାତ୍ର ରମେଶଙ୍କୁ ଏକ ମିଥ୍ୟା ଜମି ଦୁର୍ନୀତି ମାମଲାରୁ ରକ୍ଷା କରିବା ତଥା ତାଙ୍କର ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜଣେ ଗରିବ ଶିକ୍ଷକଙ୍କ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ଲଢ଼େଇକୁ ଏଥିରେ ଅତି ଜୀବନ୍ତ ଭାବେ ଚିତ୍ରଣ କରାଯାଇଛି।
ଡଃ କମଳ ଲୋଚନ ସାହୁଙ୍କ ପ୍ରଯୋଜିତ ତଥା କେଶବ ମଲ୍ଲିକଙ୍କ ନିର୍ଦ୍ଦେଶିତ ଏହି ହୃଦୟସ୍ପର୍ଶୀ ଚଳଚ୍ଚିତ୍ରରେ ସମରେଶ ରାଉତରାୟ, ଅଭିଷେକ ରଥ, ଅର୍ଲିନ୍ ଅଙ୍କିତା, ଦୀପନ୍ବିତ ଦାସମହାପାତ୍ର ଓ ଅଶ୍ରୁମୋଚନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅଭିଷେକଙ୍କ ବିପକ୍ଷରେ ପ୍ରଥମଥର ନଜର ଆସିଛନ୍ତି ଅର୍ଲିନ୍ ଅଙ୍କିତା। ପ୍ରଯୋଜକ ଡଃ କମଳ ଲୋଚନ ସାହୁ ଏହି ସିନେମାର କାହାଣୀ ଓ ସଂଳାପ ନିଜେ ଲେଖିଥିବା ବେଳେ ଆରୋହୀ ଅଜିତା ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ରାହୁଲ ରାଓ କହିଛନ୍ତି, “ଜୀ ସାର୍ଥକ ସର୍ବଦା ନିଜ ଓଡ଼ିଆ ଦର୍ଶକଙ୍କ ପାଇଁ ଶ୍ରେଷ୍ଠ, ପ୍ରେରଣାଦାୟକ ତଥା ମୂଲ୍ୟବୋଧଭିତ୍ତିକ କାହାଣୀ ଆଣିବାକୁ ପ୍ରୟାସ କରିଆସିଛି। ‘ସାର୍’ ହେଉଛି ସତ୍ୟ ଘଟଣା ଉପରେ ଆଧାରିତ ଏପରି ଏକ ଚଳଚ୍ଚିତ୍ର, ଯାହା ଶିକ୍ଷକତାର ମହାନତାକୁ ଦର୍ଶାଇବା ସହ ପ୍ରତ୍ୟେକ ଦର୍ଶକଙ୍କ ହୃଦୟକୁ ନିଶ୍ଚିତ ଭାବେ ସ୍ପର୍ଶ କରିବ ବୋଲି ଆମର ଦୃଢ଼ ବିଶ୍ୱାସ। ତେଣୁ ଆସନ୍ତା ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୬:୩୦ରେ ପରିବାର ସହ ବସି ଏହି ଚଳଚ୍ଚିତ୍ରଟିକୁ ଉପଭୋଗ କରିବାକୁ ସେ ଜୀ ସାର୍ଥକ ପକ୍ଷରୁ ନିବେଦନ କରିଛନ୍ତି ।