ସ୍କ୍ରବ୍ ଟାଇଫସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସ୍ଥିତି ଉପରେ ରହିଛି ସ୍ୱାସ୍ଥ୍ୟ ବିଭାଗର ନଜର: ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଏବଂ ଡାଇରିଆ ଆତଙ୍କ ଦେଖା ଦେଇଛି। ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କ୍ରବ୍ ଟାଇଫସକୁ ନେଇ ସାଧାରଣ ଜନତା ଆତଙ୍କିତ ନ ହେବାକୁ ସେ ଆଶ୍ୱାସନା ଦେବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏଲିସା (ELISA) ଟେଷ୍ଟ ବିନା ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନିଶ୍ଚିତ କରାଯାଇପାରିବ ନାହିଁ। ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା କୌଣସି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇନାହିଁ। ସୁନ୍ଦରଗଡ଼ରୁ ଆସିଥିବା ଅଭିଯୋଗଗୁଡ଼ିକ ପୁରୁଣା ମାମଲା ହୋଇଥାଇପାରେ, ଯାହାର ପୁନଃ ତର୍ଜମା କରାଯାଉଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡ଼ା ଗସ୍ତ କରିଛନ୍ତି। ସମ୍ପୂର୍ଣ୍ଣ ସ୍ଥିତି ଉପରେ ବିଭାଗୀୟ ସ୍ତରରେ ସାପ୍ତାହିକ ନଜର ରଖାଯାଉଥିବା ବେଳେ ମନ୍ତ୍ରୀ ନିଜେ ମଧ୍ୟ ଏହାର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି।