ରାଞ୍ଚି (ଆମ ଟିଭି): ପୁଣି ବଢିଲା ହେମନ୍ତ ସୋରେନଙ୍କ ଅଡ଼ୁଆ । ବେଆଇନ ଖଣି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ନୋଟିସ୍ କରିଛି। ଆସନ୍ତାକାଲି ତାଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି। ଆଗରୁ ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରିସାରିଛି। ଗତ ଜୁଲାଇ୮ରେ ପଙ୍କଜ ମିଶ୍ରା ଏବଂ ତାଙ୍କ ବ୍ୟବସାୟ ସହ ଜଡ଼ିତ ଝାଡ଼ଖଣ୍ଡର ୧୮ଟି ସ୍ଥାନ ରେଡ୍ କରିଥିଲା ଇଡି । ଗତ ମାର୍ଚ୍ଚରେ ମିଶ୍ରା ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ମାମଲା ଦାୟର କରିବା ପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା।
ଅଭିଯୁକ୍ତ ପଙ୍କଜ ମିଶ୍ରା ବେଆଇନ ଭାବେ ୪୨ କୋଟି ଟାଙ୍କାର ସମ୍ପତି ହାତେଇଥିବା ଇଡି ଜାଣିବାକୁ ପାଇଛି।
ସେ ତାଙ୍କର ସହଯୋଗୀମାନଙ୍କ ମାଧ୍ୟମରେ ସାହେବଗଞ୍ଜ ଓ ତତ୍ସଂଲଗ୍ନ ଅଞ୍ଚଳରେ ବେଆଇନ ଖଣି ବ୍ୟବସାୟ ଏବଂ ନଦୀ ଘାଟ ସେବା ନିୟନ୍ତ୍ରଣ କରନ୍ତି। ଏହି ଦୁର୍ନୀତିରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର କରାଯାଇଥିବାର ପ୍ରମାଣ ମିଳିଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ପଙ୍କଜ ମିଶ୍ରା ଜଣେ ବିଧାୟକ ହୋଇଥିବାବେଳେ ସୋରେନ୍ଙ୍କ ଅତ୍ୟନ୍ତ ଅନୁଗତ । ତେଣୁ କ୍ଷମତାର ଅପବ୍ୟବହାର କରି ପଙ୍କଜ ଖଣି ଦୁର୍ନୀତିର ମୁଖ୍ୟ ସୂତ୍ରଧର ଥିଲେ ବୋଲି ଅଭିଯୋଗ ହୋଇଛି ।