ଦିନିକିଆ ବିଶ୍ବକପ ୨୦୨୭ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତ୍ତି, ବଢିଲା ଅଜିତ ଅଗରକରଙ୍କ କାର୍ଯ୍ୟକାଳ
ବିସିସିଆଇର ବଡ଼ ନିଷ୍ପତ୍ତି । ସିନିୟର ଟିମର ମୁଖ୍ୟ ଚୟନକର୍ତ୍ତାକୁ ନେଇ ବଡ଼ ଘୋଷଣା କରିଛି ବିସିସିଆଇ । ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୬ରେ ସରିବାକୁ ଯାଉଛି । ବୋର୍ଡ ତାଙ୍କ କଣ୍ଟ୍ରାକ୍ଟକୁ ରିନ୍ୟୁ କରିବା ସହିତ କାର୍ଯ୍ୟକାଳ ବର୍ଷେ ପାଇଁ ବଢାଇଛି । ୨୦୨୭ ବିଶ୍ବକପକୁ ଧ୍ୟାନରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି ।
ଅଗରକରଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଗୋଟିଏ ବର୍ଷ ବଢିବ । ଆସନ୍ତାବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଦିନିକିଆ ବିଶ୍ୱକପ ହେବାକୁ ଯାଉଥିବାରୁ BCCI ନିଷ୍ପତ୍ତି ନେଇ ଅଗରକରଙ୍କୁ ଦୀର୍ଘ ସମୟ ପାଇଁ ରଖିବାକୁ ଆଗ୍ରହ ପ୍ରକାଶ କରିଛି । ବୋର୍ଡ ଅଗରକରଙ୍କୁ ରଖିବାକୁ ଚାହୁଁଛି । ଆଇପିଏଲ ମ୍ୟାଚ୍ ସମୟରେ ବିସିସିଆଇ ଅଧିକାରୀମାନେ ତାଙ୍କ ସହିତ କଥା ହୋଇ ଅପଡେଟ୍ ପ୍ରଦାନ କରିବେ ।
ଅଜିତ ଅଗରକର ଜୁନ୍ ୨୦୨୩ ମସିହାରୁ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ରହିଛନ୍ତି । ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ୩ଟି ଆଇସିସି ଟାଇଟଲ ଜିତିଛି ଭାରତ । ଦୁଇଟି ଟି-୨୦ ବିଶ୍ୱକପ (୨୦୨୪ ଓ ୨୦୨୬) ଏବଂ ଗୋଟିଏ ଚାମ୍ପିଅନ୍ସ ଟ୍ରଫି (୨୦୨୫) । ଟେଷ୍ଟ ଫଳାଫଳ ଆଶାନୁରୂପ ହୋଇନାହିଁ ।