କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

0

ପୁଣେ (ଆମ ଟିଭି): ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ ସ୍ବାମୀ କେତନଙ୍କୁ ହତ୍ୟା କରିବାର ୪ ମାସ ପୂର୍ବରୁ ପ୍ରେମିକ ଚେତନ ଚୌଧରୀଙ୍କୁ ଗୋପନରେ ବିବାହ କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଗତ ଫେବୃଆରୀରେ ସିୟାଙ୍କର କେତନଙ୍କ ସହ ନିର୍ବନ୍ଧ ହେବା ସତ୍ତ୍ୱେ ଏହା ପରେ ସେ ଚେତନଙ୍କୁ ବିବାହ କରିଥିବା ଜଣାପଡ଼ିଛି।

 

କେତନଙ୍କ ସହ ସିୟାଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଥିବା ସତ୍ତ୍ୱେ ଚେତନ ଓ ସିୟା ସେମାନଙ୍କ ବିବାହ ଖବରକୁ ଉଭୟ ପରିବାରଠାରୁ ଲୁଚାଇ ରଖିଥିଲେ। ଅଭିଯୁକ୍ତମାନଙ୍କ ଗତ ୬ରୁ ୭ ମାସ ତଳର ହ୍ବାଟ୍ସଆପ୍‌ ଚାଟ୍‌, କଲ୍‌ ରେକର୍ଡ, ଲୋକେଶନ ତଥ୍ୟ ଏବଂ ଇଣ୍ଟରନେଟ୍‌ ସର୍ଚ୍ଚ ଆଦି ଡିଜିଟାଲ ତଥ୍ୟ ଯାଞ୍ଚ କରିବା ବେଳେ ଏଭଳି ସୂଚନା ମିଳିଛି। ପୋଲିସ ଏବେ ସେମାନଙ୍କ ବିବାହ ସାର୍ଟିଫିକେଟ୍‌ ଠାବ କରିବାକୁ ଉଦ୍ୟମ ଚଳାଇଛି।

 

ସୂତ୍ର ଅନୁଯାୟୀ, ସିୟା ଓ ଚେତନଙ୍କ ବିବାହ ସମୟରେ ସିୟାଙ୍କ ୨ ଜଣ କଲେଜ ସାଙ୍ଗ ସାକ୍ଷୀ ଭାବେ ସ୍ବାକ୍ଷର କରିଥିଲେ। ଏକ ବ୍ୟକ୍ତିଗତ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ୍‌ ହୋଇଥିବା ଫଟୋଗୁଡ଼ିକୁ ବାହାର କରିବା ପାଇଁ ପୋଲିସର ଟେକ୍‌ନିକାଲ୍‌ ଟିମ୍‌ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ, ଗତ ମାସ ୧୮ ତାରିଖରେ ପୁଣେର ଲୋନାଭାଲାସ୍ଥିତ ଐତିହାସିକ ଲୋହାଗଡ଼ ଦୁର୍ଗରୁ କେତନଙ୍କୁ ସିୟା ଠେଲିଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.